ଥୁଆମୂଳ ରାମପୁର,୮।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଡୁମେରପଦର ଗ୍ରାମର ଲୋକମାନେ ଗତ ୪ତାରିଖରେ ମୋଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଥିଲେ। ଏଥିଲାଗି ସେମାନେ ଥୁଆମୂଳ ରାମପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତା ଅବରୋଧ କରିଥିଲେ। ପରେ ହଠାତ ଥାନା ଉପରେ ପଥର ମାଡ଼ ମଧ୍ୟ କରିଥିଲେ। ଏହି ଘଟଣାରେ ପ୍ରାୟ ୧୦୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏଯାବତ ମୋଟ ୧୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ସଂଖ୍ୟା ବଢ଼ିପାରେ ବୋଲି ଥାନା ଅଧିକାରୀ କୈବଲ୍ୟ ସେଠ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ସୂଚନାଯୋଗ୍ୟ, ଗତ ରବିବାର ଡୁମେରପଦର ଗ୍ରାମର ଫିରୋଜ ନାଏକ ଓ ଦୀପେନ୍ଦ୍ର ନାଏକ ଏକ ବାଇକ୍ରେ ଘରକୁ ଯାଉଥିବା ବେଳେ ଲାଠିଆଗୁଡ଼ା ଛକ ନିକଟରେ ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲା।ଏଥିରେ ଫିରୋଜ ଗୁରୁତର ହୋଇ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଦୀପେନ୍ଦ୍ର ଗୁରୁତର ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଓ ଆହତଙ୍କ ପରିବାର ଲୋକେ କ୍ଷତିପୂରଣ ଦାବିନେଇ ଥାନା ଘେରାଉ ସହ ରାସ୍ତା ଅବରୋଧ କରିଥିଲେ। ପରେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅତିରିକ୍ତ ମାଜିଷ୍ଟେଟ (ତହସିଲଦାର) ନିରୋଜ କୁମାର ଭତ୍ରା ଓ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଥାନାରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ସମାଧାନ ହୋଇ ନ ଥିଲା। ପରେ ଘଟଣା ଉଗ୍ରରୂପ ନେଇଥିଲା। ଆନ୍ଦୋଳନକାରୀ ଉତ୍ତ୍ୟକ୍ତ ହୋଇ ଥାନା ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଥାନା ଝରକା କାଚ ଭାଙ୍ଗିଯିବା ସହ ଜଣେ ଏସ୍ଆଇ, ଜଣେ କନଷ୍ଟେବଳ ଏବଂ କିଛି ଆଇଆର୍ବି ଆହତ ହୋଇଥିଲେ।