ବାହୁନି ବାହୁନି ପୁଅକୁ ଝୁରୁଛନ୍ତି ମା’ବାପା, କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ; ଆଖି ବୁଜିଲେ କାର୍‌ ଧକ୍କାରେ…

ଦିଗପହଣ୍ଡି,୧୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ଖେମୁଣ୍ଡି କାଳୁଆ ଛକଠାରେ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ଏକ ଦ୍ରୁତଗାମୀ କାର ଧକ୍କାରେ ସିଦ୍ଧେଶ୍ୱର ପଞ୍ଚାୟତ ଗୋପାଳପୁର ଗ୍ରାମର ବାଇକ ଚାଳକ ଜଗନ କୁମାର ସ୍ବାଇଁ(୨୩) ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସକାଳେ ମୃତ୍ୟୁ ଖବର ପ୍ରଚାରିତ ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଅପରାହ୍ନରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ପରିବାର ଓ ସାହି ପଡୋଶୀଙ୍କ କାନ୍ଦରେ ଗାଁ ଦାଣ୍ଡ ଫାଟି ପଡିଥିଲା । ଉଦୟନାଥ ସ୍ବାଇଁ ଓ ସୁଦଷ୍ଣା ସ୍ବାଇଁଙ୍କ ଏକମାତ୍ର ପୁଅ ଜଗନ ଜଣେ ଅନଲାଇନ ସାମଗ୍ରୀ ଡେଲିଭେରି ବୟ ଭାବେ କାମ କରି ପରିବାର ପୋଷଣ କରୁଥିବା ବେଳେ ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ଛନ୍ତି। ମା’ ବାପା ବାହୁନି ବାହୁନି ପୁଅକୁ ଝୁରୁଛନ୍ତି । ସାରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଜଗନଙ୍କ ମାମୁ ଦିଗପହଣ୍ଡି ଥାନାରେ ପହଞ୍ଚି କାର୍‌ ଚାଳକଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ. ୨୯୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Share
Tags: ganjamodisha