Shubham Sarangi of Odisha FC and Redeem Tlang of FC Goa in action during match 25 of the 7th season of the Hero Indian Super League between Odisha FC and FC Goa held at the GMC Stadium Bambolim, Goa, India on the 12th December 2020 Photo by Vipin Pawar / Sportzpics for ISL
ବାମ୍ବୋଲିମ୍, ୧୨।୧୨-
ଚଳିତ ଇଣ୍ଡିଆନ ସୁପରଲିଗ୍(ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସିର ପରାଜୟ ଧାରା ଜାରି ରହିଛି। ଭୁବନେଶ୍ୱର ଭିତ୍ତିକ ଏହି ଦଳ ଖେଳିଥିବା ୫ ମ୍ୟାଚରୁ ଶନିବାର ୪ର୍ଥ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଇଗର ଆଙ୍ଗୁଲାଙ୍କ ଗୋଲ ବଳରେ ଏଫସି ଗୋଆ ୧-୦ ଗୋଲରେ ବିଜୟୀ ହୋଇ ପଏଣ୍ଟ ତାଲିକାର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଗୋଆ ୫ ମ୍ୟାଚରୁ ୨ ବିଜୟ, ୨ ଡ୍ର ଓ ୧ ପରାଜୟ ସହ ୮ ପଏଣ୍ଟ ପାଇଛି। ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମ୍ ଅର୍ଥାତ୍ ମ୍ୟାଚର ୪୫ତମ ମିନିଟରେ ଆଙ୍ଗୁଲା ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଚଳିତ ଲିଗ୍ରେ ଏହାଥିଲା ତାଙ୍କର ୫ମ ଗୋଲ। ସୁଯୋଗର ସଦ୍ବ୍ୟବହାର କରି ନ ପାରିବା ଓଡ଼ିଶା ଦଳପାଇଁ ମହଙ୍ଗା ପଡ଼ିଛି। ହାଇଦ୍ରାବାଦ ଏଫସି ନିକଟରୁ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଏଫସି ଜାମସେଦପୁର ବିପକ୍ଷ ପରବର୍ତ୍ତୀ ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ମାତ୍ର ପରବର୍ତ୍ତୀ ୩ଟି ମ୍ୟାଚରେ ଏଟିକେ ମୋହନ ବାଗାନ, ମୁମ୍ବାଇ ସିଟି ଏଫସି ଓ ଗୋଆ ନିକଟରୁ ହାରି ପରାଜୟରେ ଅଲୋଡ଼ା ହ୍ୟାଟ୍ରିକ ଅର୍ଜନ କରିଛି। ଦଳ ମାତ୍ର ୧ ପଏଣ୍ଟ ପାଇ ଟେବୁଲର ୧୦ମ ସ୍ଥାନରେ ପଡ଼ି ରହିଛି।