Odisha FC players warming up before the match 15 of the 7th season of the Hero Indian Super League between ATK Mohun Bagan and Odisha FC held at the Fatorda Stadium, Goa, India on the 3rd December 2020 Photo by Faheem Hussain / Sportzpics for ISL
ବାମ୍ବୋଲିମ୍, ୧୭।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ଗୁରୁବାର ଓଡ଼ିଶା ଏଫ୍ସି ଓ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍ ଓଡ଼ିଶା ଏଫ୍ସି ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ସାରିଥିଲେ ହେଁ ବିଜୟ ସ୍ବାଦ ପାଇନାହିଁ। ଦଳ ଗୋଟିଏ ମ୍ୟାଚ ଡ୍ର ରଖିଥିବାବେଳେ ୪ଟି ମ୍ୟାଚ ହାରିସାରିଛି। କେବଳ ସେତିକି ନୁହେଁ ୧ ପଏଣ୍ଟ ପାଇଥିବା ଷ୍ଟୁଆର୍ଟ ବକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଏହି ଦଳ ମାତ୍ର ୨ଟି ଗୋଲ ଦେଇଥିବାବେଳେ ୭ ଗୋଲ ବରଣ କରିଛି। ଏଥିରୁ ୩ଟି ପେନାଲ୍ଟିରୁ ଏବଂ ଗୋଟିଏ ଫ୍ରି-କିକ୍ରୁ ଆସିଛି। ପ୍ରତି ମ୍ୟାଚରେ ଦଳ ଅତିକମ୍ରେ ଗୋଟିଏ ଗୋଲ ବରଣ କରିଛି। ଜାମଶେଦପୁର ଏଫ୍ସି ବିପକ୍ଷରେ ଓଡ଼ିଶା ଏଫ୍ସି ୨ଟି ଯାକ ଗୋଲ ସ୍କୋର କରିଥିଲା। ଅର୍ଥାତ୍ ଅନ୍ୟ ୪ଟି ମ୍ୟାଚରେ ଦଳ ଗୋଲ ଦେବାରେ ଅସମର୍ଥ ହୋଇଛି। ତେଣୁ ଆଗାମୀ ମ୍ୟାଚରେ ପୂର୍ବତନ ଚାମ୍ପିୟନ ଶକ୍ତିଶାଳୀ ବେଙ୍ଗାଲୁରୁ ଏଫ୍ସିକୁ ଭେଟିବାକୁ ଯିବାବେଳେ ଓଡ଼ିଶା ଏଫ୍ସି ଭାଗ୍ୟ ପରିବର୍ତ୍ତନ ଆଶାରେ ରହିଛି। ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଲିଗ୍ରେ ଅପରାଜେୟ ରହିଛି। ଏହି ଦଳ ଖେଳିଥିବା ୫ ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବାବେଳେ ଅନ୍ୟ ୩ଟି ଡ୍ର ରଖିଛି। ୯ଟି ଗୋଲ ସ୍କୋର କରିଛି ଏବଂ ୬ଟି ବରଣ କରିଛି।
ଆଗାମୀ ମ୍ୟାଚରେ ଓଡ଼ିଶା ଦଳକୁ ଅଧିକ ଆକ୍ରମଣାତ୍ମକ ଖେଳିବାକୁ ପଡ଼ିବ ବୋଲି ବକ୍ସଟର ସ୍ବୀକାର କରିଛନ୍ତି। ଏହାବ୍ୟତୀତ ମୋମେଣ୍ଟମ୍କୁ ଧରିରଖିବାକୁ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ଏଫ୍ସି ଅଧିକ ଗୋଲ ବରଣ କରୁଥିଲେ ହେଁ ଦଳର ବ୍ୟାକ୍ଲାଇନ୍କୁ ଦୋଷ ଦେବାକୁ ପ୍ରସ୍ତୁତ ନୁହନ୍ତି ବକ୍ସଟର। ଏହା ଦଳଗତ ପ୍ରଦର୍ଶନର ଫଳ। ଅଧିକ ଗୋଲ ବରଣ ପାଇଁ କେବଳ ସେଣ୍ଟର ବ୍ୟାକ୍ ବିଭାଗକୁ ଦୋଷ ଦିଆଯିବ ବୋଲି ମୁଁ ଭାବି ପାରୁନି। ଏମାନଙ୍କ ପ୍ରଦର୍ଶନ ମଧ୍ୟ ଖରାପ ବୋଲି କହିବିନି। କେତେକ ମ୍ୟାଚରେ ଏମାନେ ଭଲଭାବେ ଡିଫେଣ୍ଡ ମଧ୍ୟ କରିଛନ୍ତି ବୋଲି କୋଚ୍ କହିଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରୁର ଭଲ ପ୍ରଦର୍ଶନ ଅବ୍ୟାହତ ରହିବା ନେଇ ଦୃଢ଼ ଆଶା ପୋଷଣ କରିଛନ୍ତି କୋଚ୍ କାଲର୍ସ କ୍ୱାଡ୍ରାଟ। ”ଆମଦଳ କୌଣସି ମ୍ୟାଚକୁ ହାଲୁକାଭାବେ ନେଉନାହିଁ। ସେମାନେ ଆଗାମୀ ମ୍ୟାଚରେ ୩ ପଏଣ୍ଟ ପାଇଁ ଖେଳିବେ। ଲିଗ୍ରେ ପ୍ରତି ଦଳ ପ୍ରତିପକ୍ଷକୁ ହରାଇବାର ଦକ୍ଷତା ରଖିଛନ୍ତି। ଓଡ଼ିଶା ଏଫ୍ସି ବିଜୟୀ ହୋଇ ନ ଥିଲେ ହେଁ ଏକ ବିପଜ୍ଜନକ ଦଳ“ ବୋଲି କ୍ୱାଡ୍ରାଟ କହିଛନ୍ତି।