ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଆଖପାଖ ପଡ଼ୋଶୀ ରାଜ୍ୟରେ ଖଣ୍ଡ ବିଖଣ୍ଡିତ ହୋଇ ମିଶି ରହିଥିବା ବିଭିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ସମ୍ମିଶ୍ରଣ କରି ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଜନ୍ମ ନେଇଥିଲା ଆଜିର ଓଡ଼ିଶା। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି, ସ୍ବତନ୍ତ୍ର ଓଡ଼ିଶା ଜନ୍ମ ନେଇଥିଲା ବ୍ରିଟିଶ ଶାସନ କାଳରେ ଏବଂ ଏଥିପାଇଁ ଲକ୍ଷ ଲକ୍ଷ ଓଡ଼ିଆ ତ୍ୟାଗ ଓ ବଳିଦାନ ଦେଇ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, କର୍ମବୀର ଗୌରୀ ଶଙ୍କର ରାୟ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ଶାସକ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ସ୍ବଭାବକବି ଗଙ୍ଗାଧର ମେହେର, ମା’ ରମାଦେବୀ, ମାଳତୀ ଚୌଧୁରୀଙ୍କ ପରି ବ୍ୟକ୍ତିତ୍ୱ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ପ୍ରାତଃସ୍ମରଣୀୟ।
ଯଦିଓ ସ୍ବତନ୍ତ୍ର ଓଡ଼ିଶା ଆନ୍ଦୋଳନ ୧୯୦୩ ମସିହାରେ ‘ଉତ୍କଳ ସମ୍ମିଳନୀ’ର ଗଠନ ସହିତ ଆରମ୍ଭ ହୋଇଥିଲା, ବାସ୍ତବରେ ଏହି ଆନ୍ଦୋଳନ ଅର୍ଦ୍ଧ ଶତାବ୍ଦୀର ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଉତ୍କଳ ସମ୍ମିଳନୀ ଗଠନର ବହୁ ପୂର୍ବରୁ ଓଡ଼ିଆ ଭାଷାର ସ୍ବତନ୍ତ୍ର ପରିଚୟ ରକ୍ଷା କରିବା ପାଇଁ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ବିକ୍ଷୋଭ ଦେଖାଦେଇଥିଲା। ୧୮୦୩ ମସିହାରେ ଯେତେବେଳେ ବ୍ରିଟିଶ ସରକାର ଓଡ଼ିଶାକୁ ଶେଷ ଭାରତୀୟ ରାଜ୍ୟ ଭାବେ ଅଧିଗ୍ରହଣ କରିଥିଲେ, ଏହାର ବିଭିନ୍ନ ଅଞ୍ଚଳକୁ ଆଖପାଖ ପଡ଼ୋଶୀ ରାଜ୍ୟରେ ସମ୍ମିଶ୍ରଣ କରିଦେଇଥିଲେ, ଯେପରି କି ଉତ୍ତର ଏବଂ ଉପକୂଳ ଓଡ଼ିଶାକୁ ବେଙ୍ଗଲ ପ୍ରେସିଡେନ୍ସି, ଦକ୍ଷିଣ ଓଡ଼ିଶାକୁ ମାଡ୍ରାସ ପ୍ରେସିଡେନ୍ସି ଏବଂ ପଶ୍ଚିମ ଓଡ଼ିଶାକୁ କେନ୍ଦ୍ରୀୟ ପ୍ରୋଭିନ୍ସ ସହିତ। ଏହାଦ୍ୱାରା ଓଡ଼ିଶା କେବଳ ଭୌଗୋଳିକ ଦୃଷ୍ଟିକୋଣରୁ ଖଣ୍ଡ ବିଖଣ୍ଡିତ ହୋଇ ନ ଥିଲା, ଓଡ଼ିଶାର ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ଏହି ଭାବନା ଅମୂଳକ ନ ଥିଲା। ୧୮୯୫ ମସିହାର ଏକ ଅଧିସୂଚନା ଫଳରେ କେନ୍ଦ୍ରୀୟ ପ୍ରୋଭିନ୍ସରେ ହିନ୍ଦୀକୁ ସରକାରୀ ଅଫିସ, ବିଚାରାଳୟ ଏବଂ ସ୍କୁଲରେ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ତେଣୁ ଏହି ପ୍ରୋଭିନ୍ସରେ ସମ୍ମିଳିତ ହୋଇଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାର ଅସ୍ତିତ୍ୱକୁ ନେଇ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ସ୍ବତଃସ୍ଫୂର୍ତ୍ତ ଭାବେ ଲୋକଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧିଥିଲା, ଯାହା ପରବର୍ତ୍ତୀ ସମୟରେ ଆନ୍ଦୋଳନର ରୂପ ନେଇଥିଲା। ଏହି ନିଷ୍ପତ୍ତି ବିରୋଧରେ ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଧରଣୀଧର ମିଶ୍ର ଦୃଢ଼ଭାବେ ସ୍ବର ଉତ୍ତୋଳନ କରିଥିଲେ। ସମ୍ବଲପୁର ଅଞ୍ଚଳରେ ମଧ୍ୟ ବ୍ରଜ ମୋହନ ପଟ୍ଟନାୟକ, ବଳଭଦ୍ର ସୁକର, ମହନ୍ତ ବିହାରୀ ଦାସ, ମଦନ ମୋହନ ଦାଶଙ୍କ ପରି ଅନେକ ଆନ୍ଦୋଳନକାରୀ ଏହାର ନେତୃତ୍ୱ ନେଇଥିଲେ। ଅନେକ ଝଡ଼ଝଞ୍ଜା ଓ ଆନ୍ଦୋଳନ ପରେ ୧୯୦୫ ମସିହାରେ ଆନ୍ଦୋଳନକାରୀଙ୍କ ଉଭୟ ଦାବି ଯଥା ସମ୍ବଲପୁର ଅଞ୍ଚଳକୁ ଓଡ଼ିଶାରେ ସମ୍ମିଶ୍ରଣ କରିବା ଏବଂ ଓଡ଼ିଆକୁ ସରକାରୀ ଭାଷା ଭାବେ ପୁନଃ ସ୍ଥାପନ କରାଯାଇଥିଲା। ଏହି ନିଷ୍ପତ୍ତିକୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ସୋପାନ ଭାବେ ବିଚାର କରାଯାଇପାରେ।
ଏହି ଆନ୍ଦୋଳନ ସହିତ ତାଳଦେଇ ଜନ୍ମଲାଭ କରିଥିଲା ଐତିହାସିକ ‘ଉତ୍କଳ ସମ୍ମିଳନୀ’। ସେ ସମୟର ନେତୃମଣ୍ଡଳୀଙ୍କ ହୃଦ୍‌ବୋଧ ହୋଇଥିଲା ଯେ ଓଡ଼ିଆ ଭାଷା ଓ ଓଡ଼ିଶାର ଅସ୍ତିତ୍ୱ ବଞ୍ଚାଇବାକୁ କେବଳ ଗୋଟିଏ ମାତ୍ର ବାଟ ଥିଲା। ତାହା ହେଉଛି, ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଭାଷାଭିତ୍ତିକ ରାଜ୍ୟ ଗଠନ କରିବା। ଏହା ଏକ ଅଭୂତପୂର୍ବ ନିଷ୍ପତ୍ତି ଥିଲା, କାରଣ ସେ ସମୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମ ତୀବ୍ରତର ହେଉଥିଲା ଏବଂ ଭାଷା-ଭିତ୍ତିକ ରାଜ୍ୟ ଗଠନ ପାଇଁ କେହି କେବେ ଚିନ୍ତା କରି ନ ଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ରଣନୀତିରେ ବି ପରିବର୍ତ୍ତନ ହୋଇଥିଲା। କେବଳ ଦରଖାସ୍ତ, ପିଟିଶନ ଲେଖା ମାଧ୍ୟମକୁ ଛାଡ଼ି, ସ୍ବତନ୍ତ୍ର ଓଡ଼ିଶା ଗଠନର ଲକ୍ଷ୍ୟକୁ ତୃଣମୂଳ ସ୍ତରରେ ଘରେ ଘରେ ପହଞ୍ଚାଇବା ପାଇଁ ରଣକୌଶଳ ଆରମ୍ଭ ହୋଇଥିଲା। ‘ଉତ୍କଳ ସମ୍ମିଳନୀ’ର ମୂଳ ଲକ୍ଷ୍ୟ ଥିଲା ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ରକ୍ଷା କରି ଏହାର ବିକାଶ କରିବା, ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରି ଗୋଟିଏ ପ୍ରଶାସନିକ ଏକକ ଭାବେ ଗଠନ କରିବା ଏବଂ ନୂତନ ଭାବେ ଗଠିତ ରାଜ୍ୟର ବିକାଶ କରିବା।
ଉତ୍କଳ ସମ୍ମିଳନୀ ଗଠନର ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ଏହି ସଂଗ୍ରାମ ଅନେକ ଉଚ୍ଚା ନୀଚା ପଥ ଦେଇ ଅତିକ୍ରାନ୍ତ କରିଥିଲା। ଅନେକ ଘଟଣା ପ୍ରବାହ ବି ହୋଇଥିଲା, ଯେପରି କି ୧୯୨୦ ମସିହାର ସଚ୍ଚିଦାନନ୍ଦ ସିହ୍ନାଙ୍କ ପ୍ରସ୍ତାବ, ୧୯୩୦ ମସିହାର ଗୋଲ ଟେବୁଲ ବୈଠକରେ ପାରଳାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭାବବିହ୍ବଳ ଅଭିଭାଷଣ, ୧୯୩୩ ମସିହାର ସୀମା ନିର୍ଦ୍ଧାରଣ ପାଇଁ ହବାକ୍‌ କମିଶନ ଏବଂ ଶେଷରେ ଏହି ଆନ୍ଦୋଳନର ସୁଖଦ ପରିଣାମ ଥିଲା ଭାରତ ସରକାର ଅଧିନିୟମ, ୧୯୩୫। ଏହି ଅଧିନିୟମ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ବତନ୍ତ୍ର ପରିଚୟ ନେଇ, ନୂତନ ଆଶା ଆକାଂକ୍ଷାର ସମ୍ଭାର ନେଇ ସୃଷ୍ଟି ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ, ଯାହା ଥିଲା ସ୍ବାଧୀନ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶରେ ଭାଷା-ଆଧାରିତ ରାଜ୍ୟ ଗଠନ ପାଇଁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଭୂମିକା ଥିଲା ମହତ୍ତ୍ୱପୂର୍ଣ୍ଣ।
ମନେରଖିବାକୁ ହେବ, ଯେ ସ୍ବତନ୍ତ୍ର ଓଡ଼ିଶା ଗଠନ କେବଳ ଏକ ଭୌଗୋଳିକ ପରିଚୟ ପାଇବା ପାଇଁ ସଂଗ୍ରାମ ନ ଥିଲା; ଥିଲା ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାର ସଂଗ୍ରାମ। ଯେତେବେଳେ ଓଡ଼ିଶାର ଏକ ସିଂହଭାଗ ବେଙ୍ଗଲ ପ୍ରୋଭିନ୍ସର ଅଂଶ ବିଶେଷ ଥିଲା, ସେତେବେଳେ ବଙ୍ଗଳାର କିଛି ବୁଦ୍ଧିଜୀବୀ କହୁଥିଲେ,‘ଓଡ଼ିଆ ଏକ୍‌ଟା ଭାଷା ନଏ’ ଅର୍ଥାତ୍‌ ଓଡ଼ିଆ ଗୋଟିଏ ସ୍ବତନ୍ତ୍ର ଭାଷା ନୁହେଁ, ଏହା ବଙ୍ଗଳା ଭାଷାର ଅଂଶବିଶେଷ। ତେଣୁ ଏହାର କଡ଼ା ଜବାବ ଦେଇଥିଲେ ସେ ସମୟର ଓଡ଼ିଆ ଭାଷାର ସାରସ୍ବତ ସାଧକ ସ୍ବଭାବକବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ବ୍ୟାସକବି ଫକୀର ମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, କର୍ମବୀର ଗୌରୀ ଶଙ୍କର ରାୟ। ଏପରି କି ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ ନିଜର ଲେଖନୀ ଚାଳନା କରି ଲୋକଙ୍କ ମନରେ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଭଲପାଇବାକୁ ଉଦ୍‌ବୁଦ୍ଧ କରିଥିଲେ। ଓଡ଼ିଶାର ପ୍ରତ୍ୟେକ ନାଗରିକ ଏହିସବୁ ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ପାଇଁ ନତମସ୍ତକ।
ଓଡ଼ିଶା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ପରେ ଏହାର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ସଂଯୋଗ ହେଉ ବା ଭାଗ୍ୟ ହେଉ, ଦେଶ ସ୍ବାଧୀନତା ପ୍ରାପ୍ତିର ପ୍ରାୟ ସତୁରି ଦଶକ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିକାଶ କାର୍ଯ୍ୟ ଆଗେଇ ପାରି ନ ଥିଲା। ଏହି ସମୟ ମଧ୍ୟରେ ପ୍ରାୟ ସବୁ ସରକାର ନିଜ ନିଜ ସାଧ୍ୟ ଓ ସାମର୍ଥ୍ୟ ମୁତାବକ ରାଜ୍ୟକୁ ବିକଶିତ କରିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଓଡ଼ିଶା ଏକ ବିକଶିତ ଓ ସମୃଦ୍ଧ ରାଜ୍ୟ ହେବା ପାଇଁ ସବୁ ପ୍ରକାର ଉପାଦାନ ତଥା ଖଣି, ପାଣି, ଲୋକବଳ, ସମୁଦ୍ର ତଟ ଥାଇ ସୁଦ୍ଧା ଆଖିଦୃଶିଆ ବିକାଶ ହୋଇପାରି ନ ଥିଲା। ବୋଧହୁଏ ଦୂରଦୃଷ୍ଟି ଓ ସ୍ପଷ୍ଟ ଭିଜନର ଅଭାବ ଥିଲା। ଅନେକ ସାମାଜିକ-ଅର୍ଥନୈତିକ ମାନଦଣ୍ଡ ଯେପରି କି ମାତୃ ଓ ଶିଶୁ ମୃତ୍ୟୁହାର, ଦାରିଦ୍ର୍ୟ ସୀମାରେଖା, ରୋଜଗାର, ସାକ୍ଷରତା ହାର, ଅର୍ଥନୈତିକ ଅଭିବୃଦ୍ଧିରେ ଓଡ଼ିଶା ଜାତୀୟ ସୂଚକାଙ୍କଠାରୁ ଥିଲା ଢେର ପଛରେ।
ଏହି ସ୍ଥିତିରେ ପରିବର୍ତ୍ତନ ଆଣି ଓଡ଼ିଶାକୁ ଦେଶର ଏକ ପ୍ରମୁଖ ବିକଶିତ ରାଜ୍ୟଭାବେ ଗଢ଼ି ତୋଳିବାକୁ ଓଡ଼ିଶାବାସୀ ୨୦୨୪ ସାଧାରଣ ନିର୍ବାଚନରେ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଚବିଶ ବର୍ଷ ପାଇଁ ନିରନ୍ତର ଶାସନ କ୍ଷମତାରେ ଥିବା ସରକାରକୁ ହଟାଇ ଏକ ନୂତନ ସରକାରକୁ ଶାସନ କ୍ଷମତାକୁ ଆଣିଥିଲେ। ଓଡ଼ିଶା ବିକାଶର ନବଜାଗରଣ ଓ ପୁନର୍ବିନ୍ୟାସର କାର୍ଯ୍ୟ ଜୁନ୍‌ ୧୨, ୨୦୨୪ ତାରିଖରୁ ଆରମ୍ଭ ହୋଇଥିଲା। ସଂଯୋଗର ବିଷୟ ଯେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ ଏବଂ ବାସ୍ତବରେ ଓଡ଼ିଶାରେ ମଧ୍ୟ ‘ଡବଲ ଇଞ୍ଜିନ’ ସରକାରଙ୍କ ପାଳି ଆରମ୍ଭ ହୋଇଥିଲା। ଲୋକଙ୍କ ଅସୁମାରି ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଉତ୍ସର୍ଗୀକୃତ ଭାବେ ପ୍ରଥମ ଦିନରୁ ହିଁ ଲୋକଙ୍କ ସେବା କରିବା ଆରମ୍ଭ ହୋଇଥିଲା।
ପ୍ରଧାନମନ୍ତ୍ରୀଙ୍କ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ରାଜ୍ୟର ସମସ୍ତ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା ପ୍ରଣୟନ କରୁଛନ୍ତି। ଅନେକ କାର୍ଯ୍ୟକ୍ରମ ମଧ୍ୟରୁ ୨୦୨୭ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାନୀୟ ଜଳ, ସଡ଼କ ଓ ବିଜୁଳି ସଂଯୋଗ ଯୋଗାଇ ଦେବା ଅନ୍ୟତମ। ସ୍ବାଧୀନତାର ୭୮ ବର୍ଷ ପରେ ବି ଏହି ମୌଳିକ ସୁବିଧାରୁ ଲୋକେ ବଞ୍ଚତ୍ତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆମ ଶାସନ ପଦ୍ଧତିରେ ମହିଳା ହେଉଛନ୍ତି ଏକ ଅବିଚ୍ଛେଦ୍ୟ ଅଙ୍ଗ। ଯଦି ରାଜ୍ୟର ଅଧା ଜନସଂଖ୍ୟାର ବିକାଶ ହୋଇପାରିବ ନାହିଁ, ତେବେ ସମୃଦ୍ଧ ଓଡ଼ିଶା ଗଠନ କରିବା ଅସମ୍ଭବ। ତେଣୁ ମହିଳାଙ୍କ ବିକାଶ ସହିତ ତାଙ୍କୁ ସଶକ୍ତ କରିବାକୁ ସରକାର ବଦ୍ଧପରିକର। ସାମାଜିକ ସଶକ୍ତୀକରଣ ସହିତ ଓଡ଼ିଶାକୁ ଦେଶର ଏକ ଶିଳ୍ପ ରାଜଧାନୀ ଭାବେ ଗଢ଼ିତୋଳିବାକୁ ପ୍ରଥମ ଦିନରୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ପ୍ରାୟ ଦୁଇବର୍ଷର ନିରବଚ୍ଛିନ୍ନ ଉଦ୍ୟମ ଫଳରେ ଆଜି ଓଡ଼ିଶାରେ ଦ୍ୱିତୀୟ ଶିଳ୍ପବିପ୍ଳବ ଦେଖାଦେଇଛି ଏବଂ ନିବେଶକଙ୍କ ପ୍ରଥମ ପସନ୍ଦ ଭାବେ ଜାତୀୟ ସ୍ତରରେ ଉଭା ହୋଇଛି।
ରାଜ୍ୟ ସରକାରଙ୍କ ଆଉ ଏକ ସ୍ତମ୍ଭ ହେଉଛି ଓଡ଼ିଆ ଅସ୍ମିତା। ୨୦୨୪ ମସିହାରେ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଲୋକେ ଅଭୂତପୂର୍ବ ସମର୍ଥନ ଦେଇଥିଲେ। ତେଣୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସୁରକ୍ଷା ଦେବା ସହ ଏହାର ପ୍ରଚାର ପ୍ରସାର ପାଇଁ ଆମ ସରକାର ଦୃଢ଼ ସଂକଳ୍ପ ନେଇଛନ୍ତି। ଏହାର ଉଦାହରଣ ହେଉଛି ଓଡ଼ିଶା ଦିବସରୁ ବିଷୁବ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ। ଗତବର୍ଷଠାରୁ ଆରମ୍ଭ ହୋଇଥିବା ଏହି ଓଡ଼ିଆ ପକ୍ଷରେ ଓଡ଼ିଆ ଭାଷା, ସଂସ୍କୃତି, ଗୀତ, ସଙ୍ଗୀତ, ଖାଦ୍ୟପେୟ, ପୋଷାକର ପ୍ରଚାର ପ୍ରସାର କରାଯାଏ। ଚଳିତବର୍ଷ ମଧ୍ୟ ମହାସମାରୋହରେ ଏହା ପାଳିତ ହେଉଛି। ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବା ପାଇଁ ସଚିବାଳୟଠାରୁ ବ୍ଲକ ପର୍ଯ୍ୟନ୍ତ ସରକାରୀ ସ୍ତରରେ କେବଳ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ ଭାବେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ଓଡ଼ିଶା ଗଠନ, ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ତଥା ଦେଶର ସ୍ବାଧୀନତା ଆନ୍ଦୋଳନ ପାଇଁ ତ୍ୟାଗ ସହିଥିବା ଓଡ଼ିଆ ବରପୁତ୍ର ଓ ବରପୁତ୍ରୀମାନଙ୍କ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବା ଲାଗି ‘ବରପୁତ୍ର ଐତିହ୍ୟ ଗ୍ରାମ’ ଯୋଜନାର ପରିକଳ୍ପନା କରାଯାଇଛି, ଯାହା ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
୨୦୩୬ ମସିହାରେ ଓଡ଼ିଶା ପାଳନ କରିବ ‘ସ୍ବତନ୍ତ୍ର ପ୍ରଦେଶ ଗଠନ’ର ଶତବାର୍ଷିକୀ। ତେଣୁ ଓଡ଼ିଶାକୁ ଆଗାମୀ ଏକ ଦଶକ ମଧ୍ୟରେ ‘ସମୃଦ୍ଧ ଓଡ଼ିଶା’ ଗଠନ କରିବାକୁ ପରିକଳ୍ପନା କରାଯାଇଛି। ଏହି ପରିକଳ୍ପନା ଅନୁସାରେ ଆଗାମୀ ଦଶ ବର୍ଷରେ ଓଡ଼ିଶାକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଡବଲ ଇଞ୍ଜିନ ସରକାରଙ୍କ ଉଦ୍ୟମ ଫଳରେ ଓଡ଼ିଶାରେ ହୋଇଛି ପୂର୍ବୋଦୟ। ପୂର୍ବ ଭାରତର ସବୁଠାରୁ ସମୃଦ୍ଧ ଓ ସଶକ୍ତ ରାଜ୍ୟ ଭାବେ ଉଭା ହେବାକୁ ଯାଉଛି ଓଡ଼ିଶା। ଏହି ସମୟ ସୁଦ୍ଧା ଓଡ଼ିଶା ହେବ ଦେଶର ସବୁଠାରୁ ପାଞ୍ଚଗୋଟି ସମୃଦ୍ଧ ରାଜ୍ୟ ମଧ୍ୟରେ ଅନ୍ୟତମ। ସମସ୍ତଙ୍କ ମିଳିତ ସହଯୋଗରେ ଗଠିତ ହେବ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ରେ ମାନନୀୟ ମୋଦୀ ଜୀଙ୍କର ପରିକଳ୍ପିତ ‘ବିକଶିତ ଭାରତ’। ଓଡ଼ିଶାରେ ସମ୍ବଳର ଅଭାବ ନାହିଁ, ଓଡ଼ିଶାବାସୀଙ୍କ ମଧ୍ୟରେ ସାମର୍ଥ୍ୟ ଓ ପ୍ରତିଭା ଭରପୂର ଅଛି। ଏହି ସାମର୍ଥ୍ୟ ଓ ସମ୍ବଳକୁ ଠିକ୍‌ ଭାବେ ଉପଯୋଗ କରି ରାଜ୍ୟର ବିକାଶ କରିବା ପାଇଁ ବର୍ତ୍ତମାନ ଅଛି ‘ଲୋକଙ୍କ ସରକାର’। ସମସ୍ତଙ୍କ ସହଯୋଗରେ ନିଶ୍ଚିତ ଭାବେ ଗଠନ ହେବ ‘ସମୃଦ୍ଧ ଓଡ଼ିଶା’ ଏବଂ ଯେତେବେଳେ ୨୦୪୭ରେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ‘ବିକଶିତ ଭାରତ’ ଗଠନ ହେବ, ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସମସ୍ତ ଓଡ଼ିଶାବାସୀ ଏବଂ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ‘ଓଡ଼ିଶା ଦିବସ’ର ଅଭିନନ୍ଦନ ଓ ଶୁଭେଚ୍ଛା।

ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା

 

Dharitri – Odisha’s No.1 Odia Daily