ଦାରିଙ୍ଗବାଡ଼ି,୧୩ା୧୧ (ଅରୁଣ ସାହୁ): ଶ୍ରୀଅନ୍ନ ଯୋଜନାରେ ମାଣ୍ଡିଆ ଚାଷ ଓ ମାଣ୍ଡିଆ ଖାଦ୍ୟକୁ ବହୁଳ ପରିମାଣରେ ବ୍ୟବହାର କରିବା ଲକ୍ଷ୍ୟରେ ଏକ ସଚେତନତା ରଥକୁ ଗୁରୁବାର ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଉଦ୍ଘାଟନ କରାଯାଇଛି। ଏହାକୁ ଗୋଷ୍ଠୀ କୃଷି ଅଧିକାରୀ ସୀତାଂଶୁ କୁମାର ମଲିକ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ଗୋପବନ୍ଧୁ ଏକାଡେମୀରୁ ତାଲିମ ନେବାକୁ ଆସିଥିବା ଓଡ଼ିଶା ପ୍ରଶାସନିକ ଅଧିକାରୀ ତାପସ ରଞ୍ଜନ ମଲ୍ଲିକ, ଦୀପକ କୁମାର ସୋରେନ, ଲଲାଟେନ୍ଦୁ ନାୟକ, ଶ୍ରଦ୍ଧା ରଞ୍ଜନା ଗ୍ରହାଚାର୍ଯ୍ୟ, ଲକ୍ଷ୍ମୀ ପ୍ରସନ୍ନା ଦୋରା, ରୂପାଲି ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଅଞ୍ଚଳରେ ଥିବା ୨୫ ପଞ୍ଚାୟତରେ ପ୍ରାୟ ୪ ଦିନ ଧରି ରଥ ବୁଲି ଲୋକଙ୍କୁ ସଚେତନ କରିବ। ଜାଗୃତି ସମ୍ପାଦକ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଂଯୋଜକ ଦେବାନନ୍ଦ ଦାସ ପରିଚାଳନା କରିଥିଲେ।