ଭୁବନେଶ୍ୱର,୨୩।୯: ଯାଜପୁର ଜିଲାରେ ଗତ ବର୍ଷ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୫୨ ବର୍ଷୀୟ ଅରକ୍ଷିତା ପରିଡ଼ା ଓରଫ୍ କାଲିଆଙ୍କୁ ମଙ୍ଗଳବାର ପୋକ୍ସୋ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛି। ଅତିରିକ୍ତ ଜିଲା ସେସନ୍ସ ଓ ସ୍ପେଶାଲ ପୋକ୍ସୋ କୋର୍ଟ ଜଜ୍ ଅଭିଜିତ ପାଲେଇ ପ୍ରମାଣ, ସାକ୍ଷୀ ବୟାନ ଓ ପରିସ୍ଥିତିଜନିତ ପ୍ରମାଣ ଆଧାରରେ ଏହି ରାୟ ଦେଇଛନ୍ତି।
ଅପରାଧୀଙ୍କୁ ୨ ଲକ୍ଷ ଟଙ୍କା ଜୋରିମାନା ସହ ପୀଡ଼ିତାଙ୍କୁ ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ ନିର୍ଦ୍ଦେଶ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ୨୦୨୪ ଅକ୍ଟୋବର ୨୩ରେ ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଅପରାଧୀ ନାବାଳିକାଙ୍କୁ ପ୍ରଲୋଭନ ଦେଇ ନିଜସ୍ଥାନକୁ ନେଇ ବଳାତ୍କାର କରିଥିଲେ ଓ ଘଟଣା ପ୍ରକାଶ କଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ପୀଡ଼ିତାଙ୍କ ସ୍ଥିତି ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ପରିବାରକୁ ଘଟଣା ଜଣାଇଥିଲେ, ପରେ ୨୪ ଅକ୍ଟୋବରରେ ଥାନାରେ ଅଭିଯୋଗ ଦାୟର ହୋଇଥିଲା।