ଓଡ଼ିଶା ବନ୍ଦର ପ୍ରଭାବ: କଳାହାଣ୍ଡିରେ ଅଧା ଖୋଲା ଅଧା ବନ୍ଦ

ଭବାନୀପାଟଣା,୨୮।୧(ଉତ୍ତମ କୁମାର ଦାଶ): ଧାନ ମଣ୍ଡିରେ ଅବ୍ୟବସ୍ଥା , ପ୍ରଦୂଷଣ ନାଁରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ, ଟାଟା ପାୱାରର ସ୍ମାର୍ଟ ମିଟର ନାଁରେ ଶୋଷଣ ସହ କୃଷି ମନ୍ତ୍ରୀଙ୍କ ଉପସ୍ଥିତିରେ ନବ ନିର୍ମାଣ ନେତୃତ୍ୱଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବୁଧବାର ନିର୍ମାଣ କୃଷକ ସଂଘଠନ ପକ୍ଷରୁ ଓଡ଼ିଶା ବନ୍ଦ କରାଯାଇଛି। ଯାହାର ପ୍ରଭାବ କଳାହାଣ୍ଡି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ବୁଧବାର ସକାଳୁ ଜିଲାର ମୁଖ୍ୟାଳୟ ଭବାନୀପାଟଣା, ସମେତ ଧର୍ମଗଡ଼ ଚାରିଛକ ଜାତୀୟ ରାଜପଥ, ଗୋଳାମୁଣ୍ଡା ବିଜୁ ଏକ୍ସ ପ୍ରେସ ରାସ୍ତା ବନ୍ଦ କରାଯାଇଛି। ଏହି ସମୟରେ ସେମାନେ ପିକେଟିଂ କରିବା ସହ ରାସ୍ତାରେ ଯାଉଥିବା ଗାଡିଗୁଡିକୁ ଅଟକାଇବା ସହ ଜାତୀୟ ରାଜପଥରେ ଧାରଣାରେ ବସିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ଏହି ଆନ୍ଦୋଳନକୁ କଂଗ୍ରେସ,ବିଜେଡି ଓ ସିପିଆଇ ସମର୍ଥନ କରିଛି। ଯାହାଫଳରେ ଉପରୋକ୍ତ ସହରରେ ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ତେବେ ଜିଲାର ଜୁନାଗଡ଼ ସହର ସମେତ ଅନେକ ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିନାହିଁ। ଯାହାଫଳରେ ଏହି ଆନ୍ଦୋଳନ କଳାହାଣ୍ଡିରେ ଅଧା ଖୋଲା ଅଧା ବନ୍ଦ ରହିଛି।

Dharitri – The Largest & Most Trusted Odia Daily