ଦିଲ୍ଲୀରେ ଭାଜପା ନେତାଙ୍କ ଡେରା, ପ୍ରାର୍ଥୀ ତାଲିକା ଉପରେ ରାଜ୍ୟବାସୀଙ୍କ ନଜର

ଭୁବନେଶ୍ୱର, ୧୯।୩(ସୁନିତ ମିଶ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନା ନାହିଁ ତାହା ଉପରୁ ପରଦା ଉଠିପାରୁନାହିଁ। କୌଣସି ସ୍ପଷ୍ଟ ସୂଚନା ମିଳୁ ନ ଥିବାରୁ ଏଯାବତ ରାଜନୈତିକ ଦଳର କର୍ମୀ ଏବଂ ନେତାଙ୍କ ମନରୁ ମେଣ୍ଟ ଦ୍ୱନ୍ଦ୍ୱ ଦୂର ହେଉନାହିଁ। ଅପରପକ୍ଷେ ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆହୁରି ପାଖାପାଖି ଦେଢ଼ ମାସ ରହିଛି। ଏଭଳି ସ୍ଥିତିରେ ଭାଜପା ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କିଛି ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ନେତାମାନେ ମଧ୍ୟ ଏହାକୁ ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି।

ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକରେ ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ତାଲିକା ନେଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତୃତୀୟ ଥର ଲାଗି ରବିବାରଠାରୁ ଦିଲ୍ଲୀ ଗସ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ରଙ୍କ ସମେତ ପ୍ରଭାରୀ ପ୍ରମୁଖଙ୍କୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ଼ିଶା ସମ୍ପର୍କରେ ବୈଠକ କରିଥିଲେ। ହେଲେ ବୈଠକରୁ ବାହାରିବା ପରେ ମନମୋହନ ମେଣ୍ଟ ପ୍ରସଙ୍ଗକୁ ଖଣ୍ଡନ କରିଥିବା ବେଳେ ସବୁ ଆସନ ଉପରେ ବିଚାରବିମର୍ଶ କରାଯାଇଥିବା ସେ କହିଥିଲେ। ଏ ପର୍ଯ୍ୟନ୍ତ ଭାଜପା ରାଜ୍ୟ ନେତାମାନେ ଓଡ଼ିଶା ଫେରି ନ ଥିବା ବେଳେ ମଙ୍ଗଳବାର ଆଉ ଥରେ ଓଡ଼ିଶା ବାବଦରେ ଏକ ବୈଠକ କରି ଆଲୋଚନା କରାଯାଇଥିବା ଜଣାପଡ଼ିଛି। ଏଣୁ ଏବେ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କେତେଜଣଙ୍କ ନାଁ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି।

Share
Tags: bjpodisha