ଉପାନ୍ତ ଅଞ୍ଚଳରେ ଓଡ଼ିଶା-ଆନ୍ଧ୍ର ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା): ଗଜପତି ଓ ଶ୍ରୀକାକୁଲମ୍‌ ଜିଲାର ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ଦେଶୀ ଚୋରାମଦ କାରବାର ବଢ଼ି ଚାଲିଥିବାରୁ ଏଥିରେ ରୋକ ଲଗାଇବାକୁ ଓଡ଼ିଶା ଓ ଆନ୍ଧ୍ର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।

ପ୍ରଥମେ ଓଡ଼ିଶାର କାଶୀନଗର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର, ନେରେ ସିରିଡ଼ା, ଗୁରୁସିଂଗୁଡା ଅଞ୍ଚଳରେ ଚଢ଼ାଉ କରି ୧୦,୬୦୦ ଲିଟର ପୋଚ ନଷ୍ଟ କରାଯାଇଛି। ଉଭୟ ଟିମ୍‌ ୧୧୨୦ ଲିଟର ମଦ ଜବତ କରିଛନ୍ତି। ଏହି ମିଳିତ ଅଭିଯାନରେ ଶ୍ରୀକାକୁଲମ ଜିଲା ଉପଅବକାରୀ କମିଶନର ରାମଚନ୍ଦ୍ର ରାଓଙ୍କ ସହ ଶ୍ରୀକାକୁଲମ ଜିଲା ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଧ୍ୟକ୍ଷ ତିରୁପତି ନାଇଡୁ, ଆମ୍ବଦଳବଲାସା, ପନ୍ଦରୁ, ପୁରୁଣାପାଟଣା, କତୁରୁ ଅବକାରୀ ଅଧିକାରୀ ଓ ଅନ୍ୟମାନେ ସାମିଲ ହୋଇଥିଲେ।

ସେହିପରି ଓଡ଼ିଶା ପକ୍ଷରୁ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରଦୀପ ସାହୁ ଏବଂ ତାଙ୍କ ଟିମ୍‌ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜିଲାରେ ଶ୍ରୀକାକୁଲମ ଜିଲାକୁ ଗଜପତି ଜିଲାର ୬୨ କି.ମି. ମଧ୍ୟରେ ୩ଟି ବ୍ଲକ ଲାଗି ରହିଛି। ଏହିସବୁ ସ୍ଥାନରେ ଆଗାମୀ ଦିନରେ ଚଢ଼ାଉ କରାଯିବ ବୋଲି ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି।