ନୂଆଦିଲ୍ଲୀରେ ନୂଆଁଖାଇ ପାଳନ କଲେ ଓଡ଼ିଆ ଛାତ୍ରୀଛାତ୍ର

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ)- ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ତଥା ଗଣପର୍ବ ନୂଆଁଖାଇ ପର୍ବକୁ ଗୁରୁବାର ନୂଆଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେ.ଏନ.ୟୁ.)ର ଓଡ଼ିଆ ଛାତ୍ରୀଛାତ୍ରମାନେ ବେଶ ଉତ୍ସାହର ସହ ପାଳନ କରିଛନ୍ତି। ଆରମ୍ଭରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ନୂଆ ଧାନ ଅର୍ପଣ କରି ଏହି ପର୍ବ ପାଳନ କରିଥିଲେ। ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧି ଏହି ପର୍ବରେ ସାମିଲ ହୋଇ ପଶ୍ଚିମ ଓଡ଼ିଶାର ସାମୃଦ୍ଧ୍ୟମୟ ସଂସ୍କୃତିକୁ ପ୍ରଦର୍ଶନ କରିଥିଲେ ।ଏହି ସମୟରେ ପଶ୍ଚିମ ଓଡ଼ିଶା ଛାତ୍ର ସଂଘ (ପିଓସିଏସ୍‌) ନୂଆଖାଇର ଗୁରୁତ୍ୱ, ଏହା କିପରି ସାମାଜିକ ଏକତାକୁ ବଢ଼ାଇ ଦେଉଛି ଓ କୃଷିପରମ୍ପରାକୁ ସୁରକ୍ଷିତ କରୁଛି ବୋଲି ଉଲ୍ଲେଖ କରାଯାଇଥିଲା। ଏଥିରେ ପିଓସିଏସର ନବଘୋଷିତ କାର୍ଯ୍ୟକାରିଣୀ ପରିଷଦର ସଭାପତି ଡା. ସୁମନ୍ତ ସାହୁ,ଉପସଭାପତି ଭାରତ ଭୂଷଣ ନାଏକ ଓ ସୌମ୍ୟା ଶ୍ରୀମୟୀ ପଣ୍ଡା, ସାଧାରଣ ସମ୍ପାଦକ ତାପସ ରଞ୍ଜନ ଟେଣ୍ଡକାରୀ, ଯୁଗ୍ମ ସଚିବ ନିତିଶ କୁମାର ପାତ୍ର ଓ ଅର୍ଚ୍ଚିତ ମେହେର, କୋଷାଧ୍ୟକ୍ଷ ନମନ ପଟେଲ, ସଂସ୍କୃତି ଅଧ୍ୟକ୍ଷା ଅରୁନ୍ଧତୀ ନାଏକ ଓ ସୋସିଆଲ ମିଡିଆ ଅଧ୍ୟକ୍ଷ ମାନସ ଖର୍ସେଲ ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇଥିଲେ। ସେହିପରି ପରସ୍ପର ଏକତା, କୃଷକଙ୍କ ପ୍ରତି ସମ୍ମାନ ଓ ସାଂସ୍କୃତିକ ଗର୍ବକୁ ଅଗ୍ରସର କରିବାକୁ ଆହ୍ବାନ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପରମ୍ପରା ଗତ ଖାଦ୍ୟ ବଣ୍ଟନ ଓ ସମୃଦ୍ଧି ଓ କୁଶଳତା ପାଇଁ ସାମୁହିକ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଅନେକ ଓଡ଼ିଆ ଛାତ୍ରୀଛାତ୍ର ସାମିଲ ହୋଇଥିଲେ ।

Share
Tags: odisha