ଭଞ୍ଜନଗର,୨୫।୭(ବାବୁଲା ପ୍ରଧାନ)-ହାଇଦ୍ରାବାଦର ମୀରାପୁର ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଓଡ଼ିଆ ମେଧାବୀ ଛାତ୍ରୀ ଗୁରୁବାର ପରିବାର ସହ ରହୁଥିବା ଆପାର୍ଟମେଣ୍ଟର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ମାଟ୍ରିକ ମାସିକ ପରୀକ୍ଷା ଦେବାରୁ ବଞ୍ଚିତ କରିବା ଯୋଗୁ ହତୋତ୍ସାହିତ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତ ଛାତ୍ରୀଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମରେ। ଏହି ଖବର ଏଠାରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ବେଳକୁ ବିଦ୍ୟାଳୟ କତୃପକ୍ଷ, ପୋଲିସ ଏବଂ ଛାତ୍ରୀଙ୍କ ଅଭିଭାବକ ମଧ୍ୟରେ ଆଲୋଚନା ଚାଲିଛି। ଆଲୋଚନା ସରିବା ପରେ ଛାତ୍ରୀଙ୍କ ଅନ୍ତିମ ସତ୍କାର ହେବା ସମ୍ଭାବନା ରହିଛି। ବ୍ୟବଚ୍ଛେଦ ପରେ ଆପାର୍ଟମେଣ୍ଟରେ ମୃତଦେହ ପହଞ୍ଚିଛି। ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।
ଘଟଣାରୁ ପ୍ରକାଶ ଯେ, ଛାତ୍ରୀ ଜଣକ ମେଧାବୀ ଥିଲେ। ସେ ନବମ ଶ୍ରେଣୀରେ ୯୮ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ। ଏବେ ସେ ଦଶମ ଶ୍ରେଣୀରେ ପଢୁଛନ୍ତି। ଗୁରୁବାର ବିଦ୍ୟାଳୟର ଦଶମ ଶ୍ରେଣୀ ମାସିକ ପରୀକ୍ଷା ହେଉଥିଲା। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଜଣଙ୍କୁ କିଛି କାରଣ ଦର୍ଶାଇ ପରୀକ୍ଷା ହଲକୁ ଛାଡ଼ି ନ ଥିଲେ। ଏହାକୁ ନେଇ ଛାତ୍ରୀଜଣଙ୍କ ଅପମାନିତ ମନେ କରିଥିଲେ। ଏହାପରେ ଘରେ ଆସି ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ‘ମୋର ଏହି ବର୍ଷ ମାଟ୍ରିକ। ମୋତେ ପରୀକ୍ଷା ହଲକୁ ଯିବାକୁ ସୁଯୋଗ ଦିଆଗଲା ନାହିଁ। ମୋ ଭବିଷ୍ୟତ କ’ଣ ହେବ ବୋଲି ଛାତ୍ରୀ ଜଣଙ୍କ ପାଲଟା ବାପାଙ୍କୁ ପ୍ରଶ୍ନ କରିଥିଲେ। ଏହାଶୁଣି ବାପା ତାଙ୍କୁ ଧୌର୍ଯ୍ୟ ଧରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ କଥା ହେବେ ବୋଲି କହିଥିଲେ। ଏହାର କିଛି ସମୟ ପରେ ଛାତ୍ରୀଜଙ୍କେ ଗୁରୁବାର ଅପରାହ୍ନ ୧ ଟା ସମୟରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେଠାକାର ପୋଲିସ ଆତ୍ମହତ୍ୟାର ସଠିକ କାରଣ ଖୋଜୁଛି।