ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ ହରାଇ ପରିବାର ଭାଙ୍ଗି ପଡ଼ିଥିବା ବେଳେ  ମୃତଦେହକୁ ଆଣିବାକୁ ସ୍ତ୍ରୀ ଗୁହାରୀ କରିଛନ୍ତି। ମୃତକ ହେଲେ ଚେରୁ ନାଇକ(୩୫)।
ସୂଚନାନୁଯାୟୀ, ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଦଳିତ ସାହିର ତ୍ରିନାଥ ନାଇକଙ୍କ ଏକମାତ୍ର ରୋଜଗାରକ୍ଷମ ପୁଅ ଚେରୁ ଗୋଆର ଏକ ଷ୍ଟିଲ କାରଖାନାରେ କାମ କରୁଥିଲେ। ଦୁର୍ଘଟଣାବଶତଃ ଏକ ଷ୍ଟିଲ ଛଡ଼ ତାଙ୍କ ପେଟରେ ପଶି ଯିବାରୁ ବୁଧବାର ସକାଳ ପ୍ରାୟ ସାଢ଼େ ୭ଟାରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଚେରୁଙ୍କ ସ୍ତ୍ରୀ ଜୟନ୍ତୀଙ୍କୁ ଖବର ମିଳିବା ପରେ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଚେରୁୁଙ୍କ ୨ଟି ଛୋଟ ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି। ସ୍ବାମୀଙ୍କୁ ହରାଇ ସେ ବାହୁନି ବାହୁନି କାନ୍ଦୁଛନ୍ତି। ସ୍ବାମୀଙ୍କ ବିନା କିଭଳି ଚଳିବେ। ୩ ପିଲାଙ୍କ ଭବିଷ୍ୟତ କଣ ହେବ ସେ ନେଇ ଚିନ୍ତିତ ହୋଇପଡିଛନ୍ତି। ତାଙ୍କ ମୃତଦେହକୁ ଗାଁକୁ ଆଣିବା ପାଇଁ ସ୍ତ୍ରୀ ସ୍ଥାନୀୟ ପୋଲିସ ପ୍ରଶାସନିକ ଅଧିକାରୀ ମାନଙ୍କୁ ଗୁହାରି କରିଥିବା ଜଣାଇଛନ୍ତି। ସେ ଏନେଇ ଦିଗପହଣ୍ଡି ଥାନାରେ ଲିଖିତ ଭାବେ ରିପୋର୍ଟ ଦେଇଛନ୍ତି। ବି. ତୁରୁବୁଡ଼ି ଗ୍ରାମର ଜଣେ ଶ୍ରମ ଠିକାଦାରଙ୍କ ଜରିଆରେ ଗତ ପ୍ରାୟ ୧୦ ବର୍ଷ ହେଲା ଚେରୁ ଗୋଆର ସାଲସେଟ କୁନକୋଲିନ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ଏକ କମ୍ପାନୀରେ କାମ କରୁଥିଲେ ବୋଲି ଜଣାପଡିଛି।

କିଛିଦିନ ପୂର୍ବେ ଚେରୁୁ ଘରକୁ ଆସିଥିଲେ। ଘରେ ହସ ଖୁସିରେ କିଛିଦିନ ରହିବା ପରେ ପୁଣି କର୍ମକ୍ଷେତ୍ର ଗୋଆକୁ ଯାଇଥିଲେ ବୋଲି ସାହିବାସିନ୍ଦା କହିଛନ୍ତି। ସେହିପରି ଗତ ୨ ବର୍ଷ ପୂର୍ବେ ଉକ୍ତ ଶ୍ରମ ଠିକାଦାରଙ୍କ ସହାୟତାରେ ଗୋଆରେ କାମ କରିବାକୁ ଯାଇଥିବା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ବାରିତୋଳା ଗ୍ରାମର ରଙ୍କ ନାଇକ(୩୬) ଏବଂ ବି. ତୁରୁବୁଡ଼ି ଗ୍ରାମର ଏସ.ସହଦେବ ରେଡ୍ଡୀ(୪୦) ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଶ୍ରମ ଠିକାଦାର ଜଣକ ବିନା ଲାଇସେନ୍ସରେ ଶ୍ରମିକ ଚାଲାଣ କରି କମିଶନ ବାବଦରେ ପ୍ରଚୁର ଅର୍ଥ ରୋଜଗାର କରୁଥିବା ବେଳେ ଶ୍ରମିକ ମାନଙ୍କ ସୁରକ୍ଷା ଓ ଜୀବନ ଜୀବିକା ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ଜିଲା ଶ୍ରମ ବିଭାଗ ଓ ପୋଲିସ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରୁ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Dharitri – Odisha’s No.1 Odia Daily

Share