ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍ଡିସି ଓ ‘ଦ ଟାଇମ୍ସ’ର ମିଳିତ ପଦକ୍ଷେପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବ୍ରିଟେନ୍ର ଟପ୍ ୫୦ ଆକାଂକ୍ଷୀ ବ୍ୟବସାୟୀ ନେତାଙ୍କ ମଧ୍ୟରେ ସ୍ଥାନ ମିଳିଛି। ଲଣ୍ଡନର ବାଫ୍ଟା(BAFTA)ରେ ଆୟୋଜିତ ସମାରୋହରେ ବ୍ରିଟେନ୍ର ପ୍ରମୁଖ ଉଦ୍ୟୋଗୀ ଓ ବ୍ୟବସାୟୀ ନେତାଙ୍କ ଉପସ୍ଥିତିରେ ଅରୁଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଲଣ୍ଡନ, ୮ ଅକ୍ଟୋବର ୨୦୨୬: ଓଡ଼ିଶାରେ ଜନ୍ମିତ ଉଦ୍ୟୋଗୀ ତଥା ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ କ୍ୟାପ୍ଟେନ୍ ଅରୁଣ କରଙ୍କୁ ୨୦୨୬ ପାଇଁ ‘ଟପ୍ ୫୦ ମୋଷ୍ଟ ଆମ୍ବିସିଅସ୍ ବିଜନେସ୍ ଲିଡର୍ସ’ ତାଲିକାରେ ସ୍ଥାନ ମିଳିଛି। ବ୍ରିଟେନ୍ଭିତ୍ତିକ ଟେକ୍ନୋଲୋଜି କମ୍ପାନୀ ଏକ୍ସପର୍ଟନେଷ୍ଟର ପ୍ରତିଷ୍ଠାତା ଅରୁଣ କଟକରେ ଜନ୍ମଗ୍ରହଣ କରିଛନ୍ତି। ଓଡ଼ିଶାରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ଭାରତୀୟ ସେନାରୁ ବ୍ରିଟେନ୍ର ଉଦ୍ୟୋଗ ଜଗତ ପର୍ଯ୍ୟନ୍ତ ପହଞ୍ଚିଛି। ଏବେ ତାଙ୍କ ଏହି ଯାତ୍ରା ବ୍ରିଟେନ୍ର ପ୍ରମୁଖ ବ୍ୟବସାୟିକ ମଞ୍ଚରେ ସ୍ୱୀକୃତି ହାସଲ କରିଛି।
ଏକ୍ସପର୍ଟନେଷ୍ଟର ପ୍ରତିଷ୍ଠାତା ତଥା ସିଟିଓ ଚିନ୍ତନ ପନାରା କହିଛନ୍ତି, “ବାସ୍ତବ ସମସ୍ୟାର ସମାଧାନ ଉପରେ ଧ୍ୟାନ ରଖି ଅରୁଣ ସବୁବେଳେ ଆମକୁ ବଡ଼ ଭାବିବାକୁ ପ୍ରେରଣା ଦେଇଛନ୍ତି। ଏହି ସ୍ୱୀକୃତି ତାଙ୍କର ସେହି ଆକାଂକ୍ଷାକୁ ପ୍ରତିଫଳିତ କରୁଛି।” ଅରୁଣ କର କହିଛନ୍ତି, ଆଗକୁ ଏକ୍ସପର୍ଟନେଷ୍ଟର ବ୍ୟବସାୟ ବଢ଼ାଇବା ସହ ଏହାର ପ୍ରଭାବ ଲୋକଙ୍କ ଜୀବନରେ ମଧ୍ୟ ଦେଖାଯିବା ତାଙ୍କ ଲକ୍ଷ୍ୟ। ସେ କହିଛନ୍ତି, “ମୋ ପାଇଁ କେବଳ ବ୍ୟବସାୟ ବଢ଼ିବା ଯଥେଷ୍ଟ ନୁହେଁ। ଏହି ବିକାଶ ଯେପରି ଲୋକଙ୍କ ପାଇଁ ନୂଆ ସୁଯୋଗ ଆଣିବ, ଗ୍ରାହକଙ୍କ ବାସ୍ତବ ସମସ୍ୟାର ସମାଧାନ କରିବ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଥିବା ପ୍ରଯୁକ୍ତି ବିକଶିତ କରିବ, ସେଥିପାଇଁ ଆମେ କାମ କରିବୁ।”
ଅରୁଣ କର କହିଛନ୍ତି, ଏହି ସମ୍ମାନ କେବଳ ତାଙ୍କର ନୁହେଁ, ଏକ୍ସପର୍ଟନେଷ୍ଟ ସହ ଜଡ଼ିତ ସମସ୍ତଙ୍କ ସଫଳତା। ସେ କହିଛନ୍ତି, “ଏଭଳି ସମ୍ମାନରେ ପ୍ରତିଷ୍ଠାତାଙ୍କ ନାମ ଆଗକୁ ଆସେ, କିନ୍ତୁ କୌଣସି ବ୍ୟବସାୟ ଜଣେ ବ୍ୟକ୍ତି ଏକା ଗଢ଼ିପାରନ୍ତି ନାହିଁ। ଏକ୍ସପର୍ଟନେଷ୍ଟକୁ ଆଜିର ସ୍ଥାନରେ ପହଞ୍ଚାଇବାରେ ଆମ କର୍ମଚାରୀ, ଗ୍ରାହକ, ସହଯୋଗୀ ଏବଂ ଆମ ଉପରେ ବିଶ୍ୱାସ ରଖିଥିବା ସମସ୍ତଙ୍କ ଅବଦାନ ରହିଛି। ଏହି ସମ୍ମାନ ନିଶ୍ଚିତ ଭାବେ ଆମ ପାଇଁ ଗର୍ବର ମୁହୂର୍ତ୍ତ। ତେବେ ଆମର ଯାତ୍ରା ଏଠାରେ ଶେଷ ହୋଇନାହିଁ, ଆଗକୁ ଆହୁରି ଅନେକ କିଛି କରିବାକୁ ଅଛି।”