ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ ବି ରାଜ୍‌ କରନ୍ତି। ସେ ହେଉଛନ୍ତି ଲିପ୍ସା ଶତପଥି, ତଥା ସମସ୍ତଙ୍କର ଅତି ପ୍ରିୟ ମିଠି। ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ
ତାଙ୍କ କଥା…

ଛୋଟବେଳେ ଜମାରୁ ଦୁଷ୍ଟ ନ ଥିଲି। ବହୁତ ଶାନ୍ତ ଥିଲି। ଭଲ ପଢୁଥିଲି। ଆମେ ଦୁଇ ଭଉଣୀ। ମୁଁ ସାନ। ଯୋଉ ନାଁରେ ମତେ ସମସ୍ତେ ଜାଣନ୍ତି ଅର୍ଥାତ୍‌ ‘ମିଠି’ ନାଁଟି ମୋର ବଡ଼ ଭଉଣୀ ହିଁ ରଖିଥିଲେ।
ପିଲାଦିନର ଅଭୁଲା ଅନୁଭୂତି: ସମର ଭ୍ୟାକେଶନ୍‌ରେ ଆମେ ଯେତେବେଳେ ଜେଜେମା’ ଜେଜେବାପାଙ୍କ ପାଖକୁ ଢେଙ୍କାନାଳ ଅବା ମାମୁଘର କାକଟପୁର ଯାଉଥିଲୁ ପୂରା ପରିବାର ସହ ଖୁବ୍‌ ମଜା ହେଉଥିଲା। ସେ ସ୍ମୃତି କେବେ ବି ମନରୁ ଯିବନି।
ଅଭିନୟରେ ପ୍ରଥମ ପାଦ: ୩ ବର୍ଷ ବୟସରୁ ମୁଁ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ବହୁତ ଜାଗାରେ ପରଫର୍ମ କରି ପୁରସ୍କୃତ ବି ହେଉଥିଲି। ଏମିତି ପରଫର୍ମ କରିବା ବେଳେ ହିଁ ମୋ ଏକ୍ସପ୍ରେସନ୍‌ ଓ ନାଚ ଦେଖି କେତେଜଣ ଡାଇରେକ୍ଟର, ପ୍ରଡ୍ୟୁସର୍‌ ମତେ ପସନ୍ଦ କରିଥିଲେ। ମମି ପାପାଙ୍କୁ ଆପ୍ରୋଚ ବି କରିଥିଲେ। ପାପା ସି.ଡି. ଶତପଥୀ ବ୍ୟାଙ୍କରେ ଜେନେରାଲ ମ୍ୟାନେଜର ଥିଲେ। ସେ ପଢାକୁ ବେଶି ଗୁରୁତ୍ୱ ଦେଉଥିଲେ। ତା’ଛଡ଼ା ମୁଁ ସେତେବେଳେ ସ୍କୁଲରେ ପଢୁଥିଲି। ତେଣୁ ଏଇ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବାକୁ ମମି ପାପା ପ୍ରଥମେ ରାଜି ହୋଇ ନ ଥିଲେ। ହେଲେ ଶେଷରେ ରାଜି ହେଲେ। ଆଉ ନବମ ଶ୍ରେଣୀରେ ପଢିବାବେଳେ ‘ଘଟଗାଁ ତାରିଣୀ’ ଭଜନ ଆଲବମ୍‌ରୁ ଆରମ୍ଭ ହେଲା ମୋ କ୍ୟାରିୟର। ମୋର କ୍ୟାମେରା ଫିୟରନେସ୍‌ ନ ଥିଲା। ସେଥିପାଇଁ ଡାଇରେକ୍ଟର ପ୍ରଡ୍ୟୁସର୍‌ ବହୁତ ଖୁସି ହେଉଥିଲେ। ଆଉ ବହୁତ କାମ ମିଳିଲା। ଗୋଟେ ପରେ ଗୋଟେ ହିଟ୍‌ ଆଧୁନିକ ଆଲବମ୍‌ କଲି। କମ୍‌ ସମୟରେ ଲୋକପ୍ରିୟ ହେଇଗଲି। ପରେ ଆଙ୍କରିଂ ଓ ରେଡିଓ ଜକି ଭାବେ ବି କାମ କଲି।
ଫିଲ୍ମରେ ସୁଯୋଗ: ଏ ଗଉରା, ନାଁଟି ତାର ବୁଲ୍‌ ବୁଲ୍‌, ରାଜହଂସୀ ଚାଲି, ଏ ସାଲୁ ଭଳି ଅନେକ ହିଟ୍‌ ଆଲବମ୍‌ କରିବା ସହ ‘ଓ୍ବାନ୍‌ ଟୁ ଚାଚା ଚା’ ରେ ଆଙ୍କରିଂ କରି ବହୁତ ସକ୍‌ସେସ୍‌ ପାଇଲି। ତେଣୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଲା। ୨୦୦୫ରେ ‘ଜୀବନ ମୃତ୍ୟୁ’ ଓ ଏହାର ତିନି ବର୍ଷ ପରେ ‘ଛାତି ଚିରିଦେଲେ ତୁ’ ଚଳଚ୍ଚିତ୍ରରେ ଅଭିନୟ କଲି। ଦୁଇଟି ଯାକ ଫିଲ୍ମ ହିଟ୍‌ ହୋଇଥିଲା।
ଅଭିନୟ ବି ପଢା ବି: ଶୁଟିଂ ସେଟ୍‌କୁ ମୁଁ ବହି ନେଇକି ଯାଉଥିଲି। ଟିକେ ଫୁର୍‌ସତ୍‌ ମିଳିଲେ ପଢୁଥିଲି। ଏମିତି ଭାବେ ପଢି ଭଲ ରେଜଲ୍ଟ କରୁଥିଲି। ଟୁରିଜମ୍‌ରେ ଗ୍ରାଜୁଏଶନ କରି ମୁଁ ଅଲ୍‌ ଇଣ୍ଡିଆ ଟପ୍ପର ହୋଇ ଗୋଲ୍ଡ ମେଡାଲ ପାଇଲି।
ଆତ୍ମସନ୍ତୋଷ ମିଳେ: ୩୦୦ରୁ ଊର୍ଦ୍ଧ୍ୱ ଆଲବମ୍‌ କରିଛି, ଦୁଇଟି ଚଳଚ୍ଚିତ୍ର ସହ ବଡ଼ ବଡ଼ କମ୍ପାନୀ ପାଇଁ ବିଜ୍ଞାପନ ଓ ମଡେଲିଂ ବି କରିଛି। ହେଲେ ଆଙ୍କରିଂ ଓ ରେଡିଓ ଜକି ଭାବେ ମତେ ବେଶି ଆତ୍ମସନ୍ତୋଷ ମିଳିଥିଲା।
ଓଲିଉଡ୍‌କୁ ବାଏ ବାଏ: ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉ ନ ଥିବାରୁ ଓଲିଉଡ୍‌ରେ କାମ କରିବାକୁ ନେଇ ଘରେ କାହାରି ଅଭିଯୋଗ ନ ଥିଲା। ହେଲେ ଯେବେ ମୁଁ ଟୁରିଜମ୍‌ରେ ଗ୍ରାଜୁଏଶନ୍‌ କରି ଅଲ୍‌ ଇଣ୍ଡିଆ ଟପ୍ପର ହେଇ ଗୋଲ୍ଡ ମେଡାଲ ପାଇଲି ବାପା କହିଲେ ଏବେ ଅଭିନୟଜଗତକୁ ଛାଡ। ବ୍ରାଇଟ୍‌ ଫ୍ୟୁଚର୍‌ ପାଇଁ ହାୟର୍‌ ଷ୍ଟଡି ଜରୁରୀ। ତେଣୁ ମୁଁ ଏଣ୍ଟ୍ରାନ୍ସ ଦେଲି। ରେପୁଟେଡ ଆଇଆଇଜେଏନ୍‌ଏମ୍‌ରେ ଜର୍ନାଲିଜମ୍‌ ଆଣ୍ଡ ମାସ୍‌ କମ୍ୟୁନିକେଶନ୍‌ରେ ସିଟ୍‌ ପାଇଗଲି। ଆଉ ଅଭିନୟଜଗତର ମୋହମାୟାକୁ ଛାଡି ହାୟର ଷ୍ଟଡି ପାଇଁ ବେଙ୍ଗାଲୁରୁ ଚାଲି ଆସିଲି।
ଅବସୋସ: ଓଲିଉଡ୍‌କୁ ଛାଡିବାର ଅବସୋସ କେବେ ବି ହେଇନି। କାରଣ ମୁଁ ଜାଣିଛି ଏଇ ଇଣ୍ଡଷ୍ଟ୍ରିରେ ହିରୋମାନଙ୍କ ଲାଇଫ୍‌ ଟାଇମ୍‌ ଅଧିକ, ହେଲେ ହିରୋଇନ୍‌ମାନଙ୍କର କମ୍‌।
ବିବାହ: ୨୦୧୨ରେ ମାତ୍ର ୨୨ ବର୍ଷ ବୟସରେ ମୁଁ ବିବାହ କରିଥିଲି। ମୋର ଲଭ୍‌ କମ୍‌ ଆରେଞ୍ଜ ମ୍ୟାରେଜ ହୋଇଥିଲା। ଆମ ଭଲ ପାଇବାକୁ ଘରେ କେହି ବିରୋଧ କରି ନ ଥିଲେ। କାରଣ ସୌମିତ୍ର ଭଲ ପିଲା ହେବା ସହ ବ୍ରାହ୍ମଣ ଥିଲେ। ତାଙ୍କ ବାପା ଆଇଏଏସ୍‌ ଅଫିସର ଥିଲେ। ବାହାଘର ପରେ ଆମେ ଦୁହେଁ କିଛି ବର୍ଷ ବିଦେଶରେ ଓ ଏବେ ବେଙ୍ଗାଲୁରୁରେ ରହି ଚାକିରି କରୁଛୁ। ବିବାହର ୧୪ ବର୍ଷ ହେଇଗଲାଣି। ଆମର ୪ ବର୍ଷର ପୁଅ ଆମ ଫ୍ୟାମିଲିକୁ କମ୍ପ୍ଲିଟ୍‌ କରିଛି।
ପ୍ରେମ କାହାଣୀ: ସୌମିତ୍ର ଓ ମୁଁ ଏକା ସାଙ୍ଗରେ ଜର୍ନାଲିଜମ୍‌ କରିବା ସହ ମିଶିକି ଆର୍‌ଜେ ଭାବେ କାମ କରୁଥିଲୁ। ଏମିତିରେ ପ୍ରଥମେ ଆମ ଭିତରେ ବନ୍ଧୁତା ହେଲା ଓ ପରେ ବେଷ୍ଟ ଫ୍ରେଣ୍ଡ ହେଲୁ। ତିନି ବର୍ଷର ବନ୍ଧୁତା ପରେ ବିବାହ କରିବାକୁ ନିଷ୍ପତ୍ତି ନେଲୁ। ଉଭୟ ପରିବାର ବି ରାଜି ହୋଇଗଲେ। ଆଉ ଆମ ବିବାହ ହେଲା। ହେଲେ ଆମେ କେବେ ପରସ୍ପରକୁ ‘ଆଇ ଲଭ୍‌ ୟୁ’ କହିନୁ। ତା’ମାନେ ନୁହେଁ ଯେ, ଆମ ଭିତରେ ଭଲ ପାଇବା ନାହିଁ। ଅନେକେ କହନ୍ତି ଆଜିଯାଏ ମୁଁ ଏତେ ୟଙ୍ଗ, ବିଉଟିଫୁଲ୍‌ କେମିତି ଅଛି? ମୁଁ କହେ ମୋ ସ୍ବାମୀଙ୍କ ଭଲ ପାଇବା ହିଁ ମୋ ସୌନ୍ଦର୍ଯ୍ୟର ରହସ୍ୟ।
ପ୍ରଥମ ଉପହାର: ବାହାଘର ପରେ ମୋ ସ୍ବାମୀ ମତେ ପ୍ରଥମେ ଏକ କାର୍‌ ଉପହାର ଦେଇଥିଲେ। ଆଉ ଆମର ଦଶମ ବିବାହ ବାର୍ଷିକୀରେ ମୁଁ ତାଙ୍କୁ ଆମ ପୁଅକୁ ଉପହାର ଦେଇଥିଲି।
ମାତୃତ୍ୱ: ମା’ ହେଲା ପରେ ଲାଇଫ୍‌ ବଦଳିଛି। ଓ୍ବାର୍କିଂ ମଦର ଭାବେ କଷ୍ଟ ତ ହେଉଛି। ହେଲେ ସେଥିରେ ବି ଖୁସି ମିଳୁଛି। ମା’ ହେବା ପରେ ଧୈର୍ଯ୍ୟ ରଖି କେମିତି କାମ କରିବାକୁ ହେବ ଶିଖିଛି।
ଫିଟ୍‌ନେସ୍‌ ପାଇଁ: ବଡି ପାଇଁ ବେଷ୍ଟ ଡୋପାମେନ ହେଉଛି ଏକ୍ସରସାଇଜ୍‌। ତେଣୁ ଷ୍ଟ୍ରେସ୍‌ ରିଲିଜ ସହ ଫିଟ୍‌ ରହିବା ପାଇଁ ମୁଁ ପ୍ରତିଦିନ ପୁଅ ଉଠିବା ପୂର୍ବରୁ ସକାଳ ୪ଟାରେ ଉଠି ଘଣ୍ଟାଏ ଏକ୍ସରସାଇଜ୍‌ କରେ।
ବୁଲିବା: ବାହାଘର ପରେ ଆମେ ଡିସାଇଡ୍‌ କରିଥିଲୁ ବର୍ଷରେ ଥରେ ଇଣ୍ଡିଆ ବାହାରକୁ ଭ୍ୟାକେଶନ୍‌ରେ ଯିବୁ। ଆଉ ଆଜିଯାଏ ସେଇୟା କରି ଆସୁଛୁ। ବିଭିନ୍ନ ସ୍ଥାନ ବୁଲିବା ଭିତରେ ମତେ ୟୁରୋପ, ପ୍ରାଗ, ମାଲଡିଭ୍‌ସ ବହୁତ ଭଲ ଲାଗେ।
ପ୍ରିୟ ଖାଦ୍ୟ: ରାଗ ଓ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଜମା ଭଲ ଲାଗେନି। ପୂରା ସାଦା ଖାଇବା ପସନ୍ଦ।
ସ୍ବଭାବ: ମୁଁ ଆଦୌ ରାଗି ନୁହେଁ ଶାନ୍ତ ସ୍ବଭାବର। ହେଲେ ଟିକେ ଟିକେ କଥାରେ ଚିଡିଯାଏ। ଆଉ ମୋ ସ୍ବାମୀ ମତେ ବେଶି ଚିଡେଇ ଥାନ୍ତି।
ଅବସରରେ: ଯେହେତୁ କର୍ପୋରେଟ୍‌ ଜବ୍‌ରେ ଅଛି ସବୁବେଳେ ବ୍ୟସ୍ତ ରହେ। ଆଉ ଓ୍ବିକେଣ୍ଡରେ ପୁଅ ସହ ସମୟ ବିତାଏ। ଘର ସଜାଏ। ତା’ସହ ରିଲ୍ସ କରେ ନ ହେଲେ ବୁଲାବୁଲି କରେ। ବହି ପଢିବାକୁ ବି ଭଲଲାଗେ। ଫ୍ରେଣ୍ଡଙ୍କ ସହ କେବେ କେବେ ବୁଲାବୁଲି ଓ ଶପିଂ କରେ।
ଓ୍ବିକନେସ୍‌: ମୋ ପରିବାର ମୋ ଷ୍ଟ୍ରେନ୍ଥ ଓ ଓ୍ବିକ୍‌ନେସ୍‌ ବି। ସେମାନଙ୍କର କିଛି ହେଲେ ମୁଁ ସହିପାରେନା।
ସିକ୍ରେଟ୍‌ ଶେୟାର କରେ: ମମି ଜ୍ୟୋତ୍ସ୍ନା ଶତପଥୀ ଓ ମୋ ବେଷ୍ଟ ଫ୍ରେଣ୍ଡ ଗୁଡ଼୍‌ଡ଼ି ସହ ମୁଁ ମୋ ସିକ୍ରେଟ୍‌ ଶେୟାର କରେ।
କେବେ ଫେରିବେ: ମତେ ଚାହିଁ ଯଦି କିଛି ଷ୍ଟୋରି କରାଯାଏ, ଅବା କୌଣସି ରିଆଲିଟି ଶୋ’ରେ ଜଜ୍‌ ଭାବେ ନିଆଯାଏ ଅଥବା କୌଣସି ଶୋ’ରେ ଯଦି ମତେ ଭଲରେ ପ୍ରେଜେଣ୍ଟ କରାଯାଏ ତେବେ ମୁଁ ନିଶ୍ଚୟ କମ୍‌୍‌ବ୍ୟାକ୍‌ କରିବି। ଯଦିଓ ମୁଁ ସମ୍ପୂର୍ଣ୍ଣଭାବେ ଫେରିପାରିବିନି। ମଝିରେ ମଝିରେ ଗୋଟେ ଗୋଟେ ଶୋ’ କରିବି।
-ଶିବାନୀ ମହାନ୍ତି

Share