ଓଡ଼ାସିଙ୍ଗି ଠାକୁରାଣୀ ଯାତ୍ରା: ନାଟକ ଉଦ୍‌ଘାଟନ କଲେ ତହସିଲଦାର

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଓଡ଼ାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶୁକ୍ରବାର ୬ଷ୍ଠ ଦିନରେ ପହଞ୍ଚିଛି। ଗୁରୁବାର ସନ୍ଧ୍ୟାରେ କୁକୁଡାଖଣ୍ଡି ଓ ଲେଙ୍କାଖାଳି ଗ୍ରାମର ପୌରାଣିକ ରାମାୟଣ ନାଟକ ପରିବେଷଣ ହୋଇଥିଲା। ଦିଗପହଣ୍ଡି ତହସିଲଦାର ସନ୍ତୋଷ ସାହୁ, ଅତିରିକ୍ତ ତହସିଲଦାର ଆଶିଷ ନାୟକ ଅସ୍ଥାୟୀ ଯାତ୍ରା ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ନାଟକ ଉଦ୍‌ଘାଟନ କରିଥିଲେ। ୧୨ ବର୍ଷ ପରେ ଗ୍ରାମରେ ଠାକୁରାଣୀ ଯାତ୍ରା ହୋଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା’ଙ୍କ ଘଟ ପରିକ୍ରମା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଯାତ୍ରା ପରିଚାଳନା କମିଟି ସଭାପତି ବାଲଗୋପାଳ ସାହୁ, ଉପସଭାପତି ପି.ରାମେଶ୍ୱର ପାତ୍ର, ସମ୍ପାଦକ ଜି.କ୍ଷେତ୍ର ମୋହନ ରେଡ୍ଡୀ, ସହ ସମ୍ପାଦକ ଅଜୟ ରେଡ୍ଡୀ, କୋଷାଧ୍ୟକ୍ଷ ଶଙ୍କର ସେଠୀ, ଯାତ୍ରା କମିଟି ସଦସ୍ୟ ବୃନ୍ଦ ଓ ଗ୍ରାମବାସୀ ଯାତ୍ରା ପରିଚାଳନାରେ ସହଯୋଗ କରିଛନ୍ତି। ରବିବାର ଯାତ୍ରା ଉଦ୍‌ଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି।