ନୂଆଦିଲ୍ଲୀ,୨୯ା୪: ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକରେ ଆପତ୍ତିଜନକ ଏବଂ ଅଶ୍ଳୀଳ ଭିଡିଓ ଆଦି ପ୍ରସାରଣକୁ ନିଷିଦ୍ଧ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଉଦୟ ମହୁରକର ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଅଶାଳୀନ ବିଷୟବସ୍ତୁଗୁଡ଼ିକର ଅବାଧ ପ୍ରସାର ସ୍ବାଭାବିକ ଭାବେ ଚିନ୍ତାଜନକ ବୋଲି ମହୁରକରଙ୍କ ତରଫରୁ ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ଅଦାଲତଙ୍କୁ କହିଛନ୍ତି।
ଏଭଳି ଯୌନ ଶୋଷଣକାରୀ ଭିଡିଓ ଯୁବବର୍ଗ ଓ ଛୋଟ ପିଲାମାନଙ୍କ ମାନସିକତାକୁ ଦୂଷିତ କରିବା ସହ ବିକୃତ ପ୍ରବୃତ୍ତି ବଢ଼ାଉଛି ଏବଂ ଅପରାଧ ହାର ବୃଦ୍ଧି ପାଉଛି। ଏଭଳି ବିଷୟବସ୍ତୁ ପ୍ରସାରଣକୁ ରୋକା ନ ଗଲେ ସାମାଜିକ ମୂଲ୍ୟବୋଧ, ମାନସିକ ସ୍ବାସ୍ଥ୍ୟ ଏବଂ ସର୍ବସାଧାରଣ ନିରାପତ୍ତା ଉପରେ ଗମ୍ଭୀର ପ୍ରଭାବ ପଡ଼ିପାରେ ବୋଲି ମହୁରକର ତାଙ୍କ ପିଟିଶନ୍ରେ ଦର୍ଶାଇଛନ୍ତି। ଜବାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, କେତେକ ନିୟମାବଳୀ କାର୍ଯ୍ୟକାରୀ ହୋଇଥିବାବେଳେ ଅନ୍ୟ କେତେକ ବିଚାରାଧୀନ ରହିଛି। କେତେକ ବିଷୟବସ୍ତୁ ଏତେ ବିକୃତ ଯେ, ୨ ଜଣ ସମ୍ମାନିତ ବ୍ୟକ୍ତି ଏକାଠି ବସି ଏହାକୁ ଦେଖିପାରିବେ ନାହିଁ। ୧୮ ବର୍ଷରୁ ଊର୍ଦ୍ଧ୍ୱ ସତର୍କ ସୂଚନା ସତ୍ତ୍ୱେ ବଳିଷ୍ଠ ପ୍ରତିକାର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ମେହେଟ୍ଟା ସ୍ବୀକାର କରିଛନ୍ତି। ଏଭଳିସ୍ଥଳେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ସମେତ ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ୍, ଉଲ୍ଳୁ, ଏଏଲ୍ଟିଟି, ଏକ୍ସ, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ପ୍ଲାଟ୍ଫର୍ମକୁ ନୋଟିସ ଜାରି କରି ସେମାନଙ୍କୁ ସବିଶେଷ ଜବାବ ମାଗିଛନ୍ତି।