ନୂଆଦିଲ୍ଲୀ,୩୦।୧: ଦେଶରେ ବଢ଼ୁଥିବା ମେଦବହୁଳତା ସ୍ୱାସ୍ଥ୍ୟ ସହିତ ଭାରତ ପାଇଁ ଏକ ବଡ଼ ‘ଅର୍ଥନୈତିକ ବିପତ୍ତି’ ଭାବେ ଉଭା ହୋଇଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ, ଆଜିର ଖାଦ୍ୟପେୟ କାଲିର ଅର୍ଥନୀତିକୁ ନିର୍ଧାରଣ କରିବ। ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ବ୍ୟବହାର ଯୋଗୁଁ ଦେଶର ଉତ୍ପାଦକତା ହ୍ରାସ ପାଇବା ସହ ସରକାରୀ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି।
ରିପୋର୍ଟ ଅନୁଯାୟୀ ଦେଶର ୨୪% ମହିଳା ଏବଂ ୨୩% ପୁରୁଷଙ୍କ ଓଜନ ଆବଶ୍ୟକତାଠାରୁ ଅଧିକ ରହିଛି। ଯେତେବେଳେ କି ୫ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ମେଦବହୁଳତା ହାର ୩.୪%କୁ ବୃଦ୍ଧି ପାଇଛି। ୨୦୩୫ ସୁଦ୍ଧା ପୃଥୁଳ ଶିଶୁଙ୍କ ସଂଖ୍ୟା ୮.୩ କୋଟିରେ ପହଞ୍ଚିବା ନେଇ ଆକଳନ କରାଯାଇଛି।
୨୦୦୬ ରୁ ୨୦୧୯ ମଧ୍ୟରେ ପ୍ରକ୍ରିୟାକୃତ ଖାଦ୍ୟର ବିକ୍ରି ୪୦ ଗୁଣା ବୃଦ୍ଧି ପାଇଛି, ଯାହା ସିଧାସଳଖ ଓଜନ ବୃଦ୍ଧିର କାରଣ ସାଜିଛି। ମେଦବହୁଳତା ଯୋଗୁଁ ଡାଇବେଟିସ୍, ହୃଦରୋଗ ଓ ଶ୍ୱାସରୋଗ ଭଳି ସମସ୍ୟା ବଢ଼ୁଛି, ଯାହାର ଆର୍ଥିକ ବୋଝ ପରିବାର ଏବଂ ରାଜ୍ୟ ଉପରେ ପଡ଼ୁଛି।
ତେଣୁ ମେଦବହୁଳତା ରୋକିବା ପାଇଁ ଅର୍ଥନୈତିକ ସର୍ଭେରେ କିଛି କଠୋର ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟର ବିଜ୍ଞାପନ ଉପରେ ସକାଳ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କଟକଣା ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ଅଧିକ ଚିନି, ଲୁଣ ଓ ଚର୍ବିଯୁକ୍ତ ଖାଦ୍ୟ ଉପରେ ସର୍ବାଧିକ GST ସ୍ଲାବ୍ ଏବଂ ସର୍ଚାର୍ଜ ଲଗାଇବାକୁ ବିଚାର କରାଯାଉଛି।
ସେପଟେ ‘ଫିଟ୍ ଇଣ୍ଡିଆ’ ଏବଂ ‘ଇଟ୍ ରାଇଟ୍ ଇଣ୍ଡିଆ’ ଭଳି ଅଭିଯାନ ମାଧ୍ୟମରେ ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଉତ୍ସାହିତ କରାଯାଉଛି।