ଓଏଏସ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀ କହି ନେଇଗଲେ ୪ ଲକ୍ଷ, ପରେ…

ବଣାଇଁ,୧୨ା୧୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଓଏଏସ ଅଫିସରଙ୍କୁ ଭିଜିଲାନ୍ସର ଧମକ ଦେଇ ଲୁଟ ଚଳାଇଥିବା ୨ଜଣଙ୍କୁ ବଣାଇଁ ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା। ତାଙ୍କ ନିକଟରୁ ବଣାଇଁ ପୋଲିସ ୩୮ ଏଟିଏମ କାର୍ଡ, ୧୦ଟି ମୋବାଇଲ ଫୋନ, ୨୫ ହଜାର ଟଙ୍କା, ୱେବ ସାମ୍ବାଦିକ ପରିଚୟ ପତ୍ର ଜବତ କରିଛି। ଏନେଇ ଥାନାରେ ଏକ ମାମଲା ନଂ. ୨୭୨/୨୫ ରୁଜ୍ଜୁ ହୋଇଛି। ୧୮ରୁ ଅଧିକ ଅଫିସରଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀ କହି ଟଙ୍କା ଠକି ନେଇଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତମାନେ ନିଜକୁ ବରିଷ୍ଠ ଭିଜିଲାନ୍ସ ଅଫିସର ପରିଚୟ ଦେଇ ୨୦୨୧ରୁ ଅଫିସରଙ୍କ ଠାରୁ ଟଙ୍କା ଠକିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତଦନ୍ତ ପରେ ୨ଦୁର୍ବୃତ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି l
ସୂଚନା ଅନୁଯାୟୀ, ବଣାଇଁରେ କାର୍ଯ୍ୟରତ ଜଣେ ଓଏଏସ ଅଫିସରଙ୍କୁ ଅନୁରୂପଭାବେ ଧମକ ଚମକ ଦେବା ନେଇ ଗୁରୁବାର ବଣାଇଁ ଥାନାରେ ଅଭିଯୋଗ ହୋଇଥିଲା। ରାଉରକେଲା ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ତଦନ୍ତ ଚଳାଇଥିଲା l ଏତଲାରେ ଥିବା ତଥ୍ୟ କ୍ରମେ ସମ୍ପୃକ୍ତ ଓଏଏସ ଅଫିସରଙ୍କୁ ୪ ଲକ୍ଷ ଟଙ୍କା ଅଭିଯୁକ୍ତମାନେ ଦାବି କରୁଥିଲେ l ସରକାରୀ ଅର୍ଥ ହେରଫେର କରିଥିବାରୁ ଚାରି ଲକ୍ଷ ଟଙ୍କା ଦେଲେ ଘଟଣା କୁ ରଫାଦଫା କରିବେ ବୋଲି କହିଥିଲେ l ସାଇବର ସଂସ୍ଥା ସହାୟତାରେ ବଣାଇଁ ପୋଲିସ ଓ ଭିଜିଲାନ୍ସ ବିଭାଗ ଟ୍ରାକିଂ କରି ସୁବର୍ଣ୍ଣପୁର ଜିଲା ବିରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଢାମାଳ ଗ୍ରାମରୁ ଗଣେଶ ପ୍ରସାଦ ଓ ପ୍ରଦୀପ କୁମାରଙ୍କୁ ଗିରଫ କରିଥିଲା।