Categories: Home Leftଖେଳ

ବିଳମ୍ବ ପାଇଁ ଚାଲିଗଲା ଉଇକେଟ

କାନପୁର,୨୮।୧୧: ସ୍ଥାନୀୟ ଗ୍ରୀନ ପାର୍କଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଅନ୍ତିମ ଦିନରେ ଭାରତକୁ ୯ ଉଇକେଟ ଦରକାର। ମ୍ୟାଚ୍‌ର ଚତୁର୍ଥ ଦିନରେ ଅନ୍ତିମ ୪ ଓଭର ମଧ୍ୟରେ ନ୍ୟୁଜିଲାଣ୍ଡକୁ ଓ୍ବିଲ ୟଙ୍ଗ ରୂପେ ପ୍ରଥମ ଝଟକା ଲାଗିଥିଲା। ୩ୟ ଓଭରର ଅନ୍ତିମ ବଲରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ ପ୍ରଥମ ଇନିଂସରେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା ୟଙ୍ଗଙ୍କ ଫ୍ରଣ୍ଟ ପ୍ୟାଡରେ ବାଜିଥିଲା। ଅଶ୍ୱିନ ଏଲବିଡବ୍ଲ୍ୟୁ ଅପିଲ କରିବା ପରେ ଏହାକୁ ଆଉଟ୍‌ ଦେଇଥିଲେ ଫିଲ୍ଡ ଅମ୍ପାୟର ବୀରେନ୍ଦ୍ର ଶର୍ମା। ଅମ୍ପାୟରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ନ୍ୟୁଜିଲାଣ୍ଡ ପାଖରେ ୩ଟି ରିଭ୍ୟୁ ମଧ୍ୟ ଥିଲା। ଏହାକୁ ବ୍ୟବହାର କରିବା ପାଇଁ ୟଙ୍ଗ ରିଭ୍ୟୁ ପାଇଁ ଇଙ୍ଗିତ ମଧ୍ୟ କରିଥିଲେ। କିନ୍ତୁ ସେତେବେଳକୁ ରିଭ୍ୟୁ ନିମନ୍ତେ ଧାର୍ଯ୍ୟ ୧୫ ସେକେଣ୍ଡ୍‌ ସମୟସୀମା ପାର ହୋଇସାରିଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଅଶ୍ୱିନ ଅମ୍ପାୟରଙ୍କୁ ଜଣାଇଥିଲେ। ଫଳରେ ୟଙ୍ଗ ରିଭ୍ୟୁ ନେଇପାରି ନ ଥିଲେ। ମାତ୍ର ରିପ୍ଲେରୁ ଜଣାପଡ଼ିଥିଲା ଯେ, ବଲ ଲେଗ୍‌ ଷ୍ଟମ୍ପର ଖୁବ୍‌ ବାହାରେ ଥିଲା। ଏହା କୌଣସି ମତେ ଆଉଟ୍‌ ହୋଇ ନ ଥାନ୍ତା।