କାମର ଚାପରେ ଥିଲେ ନର୍ସ, ୧୦ ରୋଗୀଙ୍କୁ କରିଦେଲେ ହତ୍ୟା

ନୂଆଦିଲ୍ଲୀ,୭ା୧୧: ପାଶ୍ଚାତ୍ୟ ଜର୍ମାନୀର ଏକ ଅଦାଲତ ଜଣେ ପାଲିଏଟିଭ୍ କେୟାର ନର୍ସଙ୍କୁ ୧୦ ଜଣ ରୋଗୀଙ୍କୁ ହତ୍ୟା ଏବଂ ଅନ୍ୟ ୨୭ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। କାମର ଚାପି କମ୍ କରିବାକୁ ଯାଇ ନାଇଟ୍ ସିଫ୍ଟ ସମୟରେ ନର୍ସ ଜଣକ ଏହି ହତ୍ୟାକାଣ୍ଡ ଘଟାଇଥିଲେ।

ୱୁର୍ସେଲେନ୍ ସହରର ଏକ ହସ୍ପିଟାଲରେ ୨୦୨୩ ଡିସେମ୍ବରରୁ ୨୦୨୪ ମେ ମାସ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତ ନର୍ସ ତାଙ୍କର ଅଧିକାଂଶ ବୟସ୍କ ରୋଗୀଙ୍କୁ ରାତି ସିଫ୍ଟରେ ମର୍ଫିନ୍ କିମ୍ବା ସେଡେଟିଭ୍ (ଶାନ୍ତ ରହିବା ଔଷଧ) ଇଞ୍ଜେକ୍ସନ୍ ଦେଇ ହତ୍ୟା କରିଥିଲେ, ଯାହାଫଳରେ ତାଙ୍କର କାମର ବୋଝ ହାଲୁକା ହୋଇପାରିବ।

ଆଚେନ୍ ଅଦାଲତରେ ପ୍ରୋସିକ୍ୟୁଟରମାନେ କହିଥିଲେ ଯେ ନର୍ସ ଜଣକ ଅଧିକ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କ ପ୍ରତି ‘ବିରକ୍ତି’ ଏବଂ ସହାନୁଭୂତିର ସ୍ପଷ୍ଟ ଅଭାବ ପ୍ରଦର୍ଶନ କରୁଥିଲେ। ସେ “ଜୀବନ ଓ ମୃତ୍ୟୁର ମାଲିକ” ଭଳି ଆଚରଣ କରୁଥିବା ଅଭିଯୋଗ ହୋଇଥିଲା।

ଅଦାଲତ ଏହି ଅପରାଧକୁ “ବିଶେଷ ଗୁରୁତର ଦୋଷ” ଭାବେ ଗ୍ରହଣ କରିଛନ୍ତି, ଯାହାଫଳରେ ଅଭିଯୁକ୍ତଙ୍କୁ ୧୫ ବର୍ଷ ପରେ ଶୀଘ୍ର ମୁକ୍ତି ମିଳିବାର ସମ୍ଭାବନା ନାହିଁ। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ନର୍ସଙ୍କୁ ଅପିଲ୍ କରିବାର ଅଧିକାର ରହିଛି।

ପ୍ରୋସିକ୍ୟୁଟରଙ୍କ କହିବାନୁଯାୟୀ, ହୁଏତ ଏହି ନର୍ସଙ୍କ ଶିକାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ। ସମ୍ଭାବ୍ୟ ଅଧିକ ପୀଡ଼ିତଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ଶବ ଉତ୍ତୋଳନ କରାଯାଉଛି ଏବଂ ଏହି ମାମଲାରେ ନର୍ସ ଜଣକ ପୁଣି ଥରେ ବିଚାରର ସାମ୍ନା କରିପାରନ୍ତି।