ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ ଯୁଦ୍ଧ ହୁଏ; ତେବେ ବିଜୟ ପରିବର୍ତ୍ତେ ବିନାଶ ସୁନିଶ୍ଚିତ। ତଥାପି ୧୯୪୫ ପରେ ଆଣବିକ ଶକ୍ତିସମ୍ପନ୍ନ ଦେଶଗୁଡ଼ିକ ପରୋକ୍ଷ ଭାବେ ଛାୟାଯୁଦ୍ଧ ଏବଂ ଆଞ୍ଚଳିକ କ୍ଷେତ୍ରରେ ଆର୍ଥିକ, ରାଜନୈତିକ ଓ ସାମାଜିକ ଅସ୍ଥିରତା ସୃଷ୍ଟି କରି ଏହା କରିପାରୁଥିଲେ। ଯେତେ ହିଂସାତ୍ମକ ହେଲେ ବି ଏହିସବୁ ସଂଘର୍ଷ ବିଂଶ ଶତାବ୍ଦୀର ଦୁଇ ବିଶ୍ୱଯୁଦ୍ଧର ହିଂସାତ୍ମକ ସ୍ଥିତି ଆଡ଼କୁ ବଢ଼ିବ ବୋଲି ଆଶା କରାଯାଉ ନ ଥିଲା। ହେଲେ ୨୦୨୨ରୁ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ସେହି ବିଶ୍ୱାସକୁ ଧୂଳିସାତ୍ କରିଦେଇଛି। ୧୯୯୪ ବୁଦାପେଷ୍ଟ ମେମୋରାଣ୍ଡମ ଅନୁଯାୟୀ ଯେଉଁ ସ୍ବାଧୀନ ଦେଶର ସୁରକ୍ଷାକୁ ରୁଷିଆ ନିଶ୍ଚିତ କରିଥିଲା, ତାହା ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇ ଭ୍ଲାଡିମୀର ପୁଟିନ୍ ବିଶ୍ୱ ବ୍ୟବସ୍ଥାର ମୌଳିକ ମାନ୍ୟତାକୁ ଅଣଦେଖା କରିଛନ୍ତି। ୟୁକ୍ରେନ୍ ଯୁଦ୍ଧ ଦର୍ଶାଇଛି, ଆଣବିକ ଅସ୍ତ୍ର ବଳରେ ଏକ ମହାଶକ୍ତି ପରମାଣୁ ଯୁଦ୍ଧକୁ ଅଗ୍ରାଧିକାର ନ ଦେଇ ଏକ ପୂର୍ଣ୍ଣ ପାରମ୍ପରିକ ଯୁଦ୍ଧ କରିପାରେ। ଏହାସହ ପରମାଣୁ ଯୁଦ୍ଧ ଆରମ୍ଭ ନ କରି ପ୍ରତିରୋଧୀ କାର୍ଯ୍ୟ କରାଯାଉଛି। ତେବେ ଆଣବିକ ପ୍ରତିରୋଧ ଅସ୍ତ୍ରଶସ୍ତ୍ରଗୁଡ଼ିକ ଉପରେ ନୁହେଁ, ବରଂ ସେସବୁର ବ୍ୟବହାର ସମ୍ପର୍କିତ ପ୍ରତ୍ୟାଶା ଉପରେ ନିର୍ଭର କରେ। ଅପରପକ୍ଷରେ, ଏହି ପଦକ୍ଷେପ ନୀତି ବଦଳାଇଥିବା ଦେଶଗୁଡ଼ିକୁ ସେମାନଙ୍କ ସ୍ବାର୍ଥ ପାଇଁ ଅନ୍ତର୍ଜାତୀୟ ବ୍ୟବସ୍ଥାର ନିୟମଗୁଡ଼ିକର ପୁନର୍ଗଠନ କରିବା ସକାଶେ ଏକ ସୁଯୋଗ ସୃଷ୍ଟି କରିଛି। ସେମାନେ ବଳ ପ୍ରୟୋଗ କରି ଏହା କରିବାକୁ ଚାହଁୁଛନ୍ତି। କୌଣସି ଦେଶ ଅନ୍ୟର ସୀମା ଉଲ୍ଲଂଘନ କରିବା ଅନୁଚିତ, ଯାହା ଜାତିସଂଘ ବ୍ୟବସ୍ଥାର ଏକ ଆଧାରଶିଳା। କିନ୍ତୁ ଏହାକୁ ଏବେ ଏକ ସର୍ତ୍ତଗତ ନୀତି ଭାବେ ବିଚାର କରିବା ଛାଡ଼ ବରଂ ଏକ ନିୟମ ଭାବେ ବି ଗ୍ରହଣ କରାଯାଉନାହିଁ। ଏହାକୁ କେହି ଲାଗୁ କରିବାକୁ ଇଚ୍ଛୁକ ହେଲେ ହିଁ ଏହା ବୈଧ ହେବ। ଉଲ୍ଲେଖଯୋଗ୍ୟ, ଗତ ୫ ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ବିବାଦ ଆଣବିକ ଶକ୍ତିସମ୍ପନ୍ନ ଦେଶଗୁଡ଼ିକ ତରଫରୁ ଆରମ୍ଭ ହୋଇଛି। ୟୁକ୍ରେନ୍କୁ ଅଧୀନକୁ ନେବା ଲାଗି ରୁଷିଆ ଚେଷ୍ଟା କଲା। ୭ ଅକ୍ଟୋବର ୨୦୨୩ରେ ହମାସ୍ ଆକ୍ରମଣର ପ୍ରତିକ୍ରିୟା ସ୍ବରୂପ ଇସ୍ରାଏଲ ଗାଜା, ଲୋବାନନ୍, ସିରିଆ, ୟେମେନ୍ ଓ ପରେ ଇରାନ୍ ଉପରେ ସାମରିକ ଆକ୍ରମଣ ଆରମ୍ଭ କରିଦେଲା।
ଆମେରିକା ବୈଶ୍ୱିକ ବ୍ୟବସ୍ଥା ଗଠନ କରିବାରେ ସାହାଯ୍ୟ କରିଥିଲା। ହେଲେ ସେହି ବ୍ୟବସ୍ଥାର ଗ୍ୟାରେଣ୍ଟର ନ ହୋଇ ତାହାର ଅଧିକ କ୍ଷତି କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗ୍ରୀନ୍ଲାଣ୍ଡକୁ ଦଖଲ କରିବାକୁ ଧମକ ଦେଇଛନ୍ତି। ଏହାସହ ଭେନେଜୁଆଲାରେ ହସ୍ତକ୍ଷେପ କରି ତାହାର ରାଷ୍ଟ୍ରପତିଙ୍କୁ ଅପହରଣ କଲେ। ଏହା ପରେ ଏବେ ଇରାନ୍ ସହ ଯୁଦ୍ଧ କରିଛନ୍ତି। ଆମେରିକା କଂଗ୍ରେସର ବିନା ଅନୁମତି କିମ୍ବା ଉପରେ ଜାତିସଂଘର ସ୍ବୀକୃତି ନଥାଇ ଏହା କରାଯାଇଛି। ବିଗତ ୪ ବର୍ଷ ମଧ୍ୟରେ ରୁଷିଆ ଦର୍ଶାଇଛି ଯେ, ଆର୍ଥିକ କଟକଣାକୁ ମୁକାବିଲା କିମ୍ବା ସହ୍ୟ କରାଯାଇପାରେ। ଆଉ ମଧ୍ୟ ଦର୍ଶାଇଛି ଯେ, ପାଶ୍ଚାତ୍ୟ ଯୁଦ୍ଧ ପଦକ୍ଷେପଗୁଡ଼ିକ ଶିଳ୍ପ ଓ ରାଜନୈତିକ କଟକଣାର ସମ୍ମୁଖୀନ ହୋଇଛି ଏବଂ ଆଣବିକ ସୁରକ୍ଷା ପୂର୍ବ ବିଶ୍ୱାସ ତୁଳନାରେ ଏବେ ଅଧିକ ଭୂଖଣ୍ଡ ଦଖଲ କରିବା ପାଇଁ ଅନୁମତି ଦେଉଛି। ପରିଣାମ ସ୍ବରୂପ ସ୍ଥାନୀୟ ସଂଘର୍ଷ ବୃଦ୍ଧି ହେଉଛି, ଯାହା ସେହି ଅଞ୍ଚଳରେ ସୀମିତ ନ ରହି ବ୍ୟାପୁଛି। ଯଦି ଲଗାତର ପାରମ୍ପରିକ ହିଂସା ଜାରି ରହେ, ତେବେ ତାହା ତୃତୀୟ ବିଶ୍ୱଯୁଦ୍ଧ ଘଟିପାରେ।
ଏବେ ସଂଘର୍ଷଗୁଡ଼ିକ ସାମଗ୍ରିକ ଭାବେ ବିଶ୍ୱ ବ୍ୟବସ୍ଥାକୁ ଅଧିକ ଚାପଗ୍ରସ୍ତ କରୁଛି। ଏଭଳି ସ୍ଥିତିରେ ଯୁଦ୍ଧଗୁଡ଼ିକ ଏକ ରଣନୀତିକ ସଙ୍କଟ ଭାବେ କେନ୍ଦ୍ରିତ ହୋଇପାରେ। ଫ୍ରାନ୍ସର ସମାଜ ବିଜ୍ଞାନୀ ରେମଣ୍ଡ ଆରୋନ ଏହି ସମସ୍ୟାକୁ ଏକ ଦଶନ୍ଧି ପୂର୍ବରୁ ସୂଚିତ କରିଥିଲେ। ସେ ତାଙ୍କ ପୁସ୍ତକ ‘ଦି ସେଞ୍ଚୁରୀ ଅଫ୍ ଟୋଟାଲ ଓ୍ବାର୍ସ’ରେ ଯୁକ୍ତି ବାଢ଼ିଥିଲେ ଯେ, ଆମେରିକୀୟ ରଣନୀତିଜ୍ଞମାନେ ଦୁଇଟି ଭବିଷ୍ୟତ କଥା ଭାବିଛନ୍ତି। ଗୋଟିଏ ହେଉଛି ପ୍ରତ୍ୟକ୍ଷ ସଂଘର୍ଷ ବିନା ସାମରିକ ବଳରେ ଶାନ୍ତି କିମ୍ବା ପରମାଣୁ ବିନିମୟରେ ଯୁଦ୍ଧ ଶେଷ। ଶୀତଳଯୁଦ୍ଧର ଉଗ୍ର ସଂଘର୍ଷଗୁଡ଼ିକ ନିୟନ୍ତ୍ରିତ ହୋଇଥିଲେ ମଧ୍ୟ ପରମାଣୁ ଅସ୍ତ୍ରର ଶକ୍ତି ହିଂସାକୁ ସୀମିତ ରଖିବାରେ ସଫଳ ହୋଇଥିଲା। କିନ୍ତୁ ହିଂସାକୁ ସୀମିତ ରଖିବାର ସେହି କ୍ଷମତା ଏବେ କ୍ଷୀଣ ହେବାରେ ଲାଗିଛି। କାରଣ କୌଣସି ଗୋଟିଏ ବି ଶକ୍ତି ସ୍ଥାନୀୟ ସଂଘର୍ଷକୁ ନିୟନ୍ତ୍ରଣ କରିପାରୁ ନାହିଁ।
ଏଠାରେ ରହିଛି ଆଧିପତ୍ୟର ରହସ୍ୟ। ଆମେରିକାର ପ୍ରତିଦ୍ୱନ୍ଦ୍ୱୀମାନେ କେବଳ ସେମାନଙ୍କ ନିଜ ଅଞ୍ଚଳରେ ପ୍ରଭୁତ୍ୱ ବିସ୍ତାର କରୁଥିବାବେଳେ ଆମେରିକା ସବୁଠି ଆଧିପତ୍ୟ ରଖିବାକୁ ଚାହଁୁଛି। ତାଇଓ୍ବାନ କିମ୍ବା ଅନ୍ୟତ୍ର ଦେଖାଯାଇଥିବା ସଙ୍କଟ ରଣନୀତିକ ଚାପ ସୃଷ୍ଟି କରିବା ପାଇଁ ଯଥେଷ୍ଟ ହୋଇପାରେ। ୟୁରୋପ ଏଯାବତ୍ ରାଜନୈତିକ ଦୃଷ୍ଟିରୁ ଏକାଠି ହୋଇନାହାନ୍ତି। ଚାଇନାର ପ୍ରଭାବ ବଢ଼ୁଥିଲେ ସୁଦ୍ଧା ଏହା ତାହା ସାମ୍ପ୍ରତିକ ସ୍ବାର୍ଥକୁ ଦେଖି ବୈଶ୍ୱିକ ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ।
ଏହି ସ୍ଥିତିରେ କେବଳ ଆଣବିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷାତ୍ମକ ମେଣ୍ଟ ଉପରେ ଆଧାରିତ ଏକ ଅପ୍ରତିରୋଧୀ ସୁରକ୍ଷା ନୀତି ଯଥେଷ୍ଟ ହେବ ନାହିଁ। ଆଣବିକ ପ୍ରତିରୋଧର ପୁନଃ ପ୍ରତିଷ୍ଠା ପାଇଁ ଉଦାରବାଦୀ ଗଣତନ୍ତ୍ରଗୁଡ଼ିକ ସେମାନଙ୍କର ସମ୍ମିଳିତ ପ୍ରତିରକ୍ଷା ବ୍ୟବସ୍ଥାଗୁଡ଼ିକୁ ପୁନର୍ଗଠନ କରିବା ଦରକାର। ନୀତିଗୁଡ଼ିକ ପୁନରୁଦ୍ଧାର, ଶକ୍ତି ବ୍ୟବହାରର ପରିଚାଳନା ଏବଂ ଆଞ୍ଚଳିକ ସମନ୍ବୟ ଉପରେ ଆଧାରିତ ଏକ ନୂଆ ସୁରକ୍ଷା ବଳୟ ଗଢ଼ି ଏହା କରିବା ଉଚିତ। ଆର୍ଥିକ ଶକ୍ତି ବ୍ୟାପକ ଭାବେ ଅବ୍ୟବସ୍ଥିତ ହୋଇଯାଇଥିବାରୁ ଏକ ‘ଅପରିହାର୍ଯ୍ୟ ଦେଶ’ ଭାବେ ଗଣାଯାଉଥିବା ଆମେରିକା ଯୁଗର ଶେଷ ହେବାକୁ ଯାଉଛି। ତେବେ ଫ୍ରାନ୍ସର ସମାଜବିଜ୍ଞାନୀ ଜିନ ବେଚଲରଙ୍କ ମତରେ କେତେକ ହାତଗଣତି ଦେଶର ପ୍ରାଧାନ୍ୟ ରହୁଥିବା ଏକ ସମନ୍ବିତ ବ୍ୟବସ୍ଥା କିମ୍ବା ଚାଇନା ଓ ଆମେରିକାର ପ୍ରଭାବ ରହୁଥିବା ଏକ ନୂତନ ବ୍ୟବସ୍ଥା ବୈଶ୍ୱିକ ବ୍ୟବସ୍ଥା ଆଡ଼କୁ ଗତିକରୁଛି। ଆଣବିକ ପ୍ରତିରୋଧ ଯଦି ଜାରି ରହେ, ତେବେ ଆଗକୁ କିଛି ପରିବର୍ତ୍ତନ ଘଟିପାରେ। ଯଦି ଏହା ବିଫଳ ହୁଏ, ତେବେ ପ୍ରକୃତ ବିପଦ ମହାଯୁଦ୍ଧ ନୁହେଁ, ବରଂ ନିରନ୍ତର ହିଂସା ବଢ଼ିଚାଲିବ, ଯାହାକୁ କେହି ବି ନିୟନ୍ତ୍ରଣ କରିପାରିବେ ନାହିଁ।
ଆଣ୍ଟୋନି ଡାବିଲା
ରିସର୍ଚ୍ଚ ଫେଲୋ,ପ୍ୟାରିସ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ପଲିଟିକାଲ ଷ୍ଟଡିଜ୍