କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ, ତେଜୁଛି ଅସନ୍ତୋଷ

ଖଡ଼ିଆଳ,୬।୮(ସୁଜିତ କୁମାର ପ୍ରଧାନ): ଲୋକଙ୍କ ଆଶା ଥିଲା ଡବଲ ଇଞ୍ଜିନ ସରକାରରେ ବିଶେଷ କରି ସରକାରୀ ଅଧିକାରୀ ଓ କର୍ମଚାରୀ ତତ୍ପରତା ଦେଖାଇ କାମ କରିବେ ଓ ଡବଲ ବିକାଶ ହେବ। ହେଲେ ବିକାଶର ବାଧକ ସାଜିଛନ୍ତି କିଛି ଅମାନବୀୟ ଅଧିକାରୀ । ସରକାରଙ୍କ କଡା ନିର୍ଦ୍ଦେଶକୁ  ଅବମାନନା କରି ଦୀର୍ଘ ଦିନ ହେବ କାର୍ଯ୍ୟରେ ଯୋଗ ନ ଦେବା ଚକିତ କରିଛି। ଏଭଳି ଗୋଟିଏ ନୁହେଁ ଦୁଇ ଗୋଟି ଉଦାହରଣ ନୂଆପଡ଼ା ସଦର ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦେଖିବାକୁ ମିଳିଛି।
ଦୀର୍ଘ ଦିନ ହେବ ଦୁଇ ଗୋଟି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପଦବୀ ଖାଲି ରହିଥିବା ବେଳେ ବିଭିନ୍ନ ଉନ୍ନୟନ କାମ ଠପ ହୋଇଯାଇଛି । ଏହାକୁ ଦେଖି ରାଜ୍ୟ ସରକାର ଦୁଇ ଜଣ ଅଧିକାରୀଙ୍କୁ ଖାଲିଥିବା ସ୍ଥାନରେ ଯୋଗଦାନ କରିବାର ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଦୁଇ ଜଣ ଅଧିକାରୀ ହେଲେ ଖଡ଼ିଆଳ ପାଇଁ ଇଞ୍ଜିନିୟର ବାସନ୍ତୀମଣି ହାସଦା ଓ ନୂଆପଡ଼ା ଡିଭିଜନ ପାଇଁ ଇଞ୍ଜିନିୟର ରାଜ କୁମାର ମେହେର । ଦୁଇ ଅଧିକାରୀ ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ନିଜ ନିଜ କାର୍ଯ୍ୟସ୍ଥଳରୁ ଭାରମୁକ୍ତ ହୋଇସାରିଥିବା ବେଳେ ନୂତନ କାର୍ଯ୍ୟସ୍ଥଳରେ ଯୋଗ ଦେଇନାହାନ୍ତି। ଫଳରେ ଜିଲାର ଦୁଇ ଗୋଟି ଡିଭିଜନର ବିଭିନ୍ନ ଉନ୍ନୟନ କାମ ଠପ ହୋଇଯାଉଛି । ଏହାକୁ ନେଇ କାର୍ଯ୍ୟ କରୁଥିବା ଠିକାଦାରମାନଙ୍କ ସହ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏ ଉପରେ ତୁରନ୍ତ ଜିଲା ପ୍ରଶାସନ ସହ ରାଜ୍ୟ ସରକାର ଧ୍ୟାନ ଦେଇ ଦୁଇ ଅଧିକାରୀଙ୍କୁ ନିଜ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ କଡ଼ା ନିର୍ଦ୍ଦେଶ ଦେବା ପାଇଁ ଲୋକେ ଦାବି କରିଛନ୍ତି ।
.

Share
Tags: odisha