ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ: ବାହାରେ ଚକାଚକ୍‌, ଭିତରେ ଅଳିଆ

ନୂଆପଡ଼ା,୬ ା୧୦(ମକାରୁ ବେମାଲ):ନୂଆପଡ଼ାକୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲା ଗଠନ କରି ଭାରତରେ ଏକ ନମ୍ବର କରିବା ପାଇଁ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛନ୍ତି। ପ୍ରତ୍ୟେକ ସୋମବାର ଗୋଟିଏ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଏକକ ବ୍ୟବହାର ପ୍ଲାଷ୍ଟିକମୁକ୍ତ ଉପରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଓ ପ୍ରତ୍ୟେକ ଶନିବାର କିମ୍ବା ପାଳନୀୟ ଦିବସରେ ସ୍ବଚ୍ଛତା ଅଭିଯାନ କରି ଅଳିଆ ଆବର୍ଜନା ସଫା ସୁତୁରା କରିବାରେ ଅଧିକାରୀ, କର୍ମଚାରୀଠାରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ବୟଂ ସହାୟକ ମହିଳା ଗୋଷ୍ଠୀ, ଯୁବ ଅନୁଷ୍ଠାନ ଓ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରୀଛାତ୍ର ନିୟୋଜିତ ରହୁଛନ୍ତି। ହେଲ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟତିକ୍ରମ ଦେଖାଦେଇଛି। ସାତ ମହଲା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଚକାଚକ୍‌ ଦିଶୁଥିବା ବେଳେ ଭିତରେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ରହିଛି।
ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ମା’ ଓ ଶିଶୁ ବିଭାଗରେ ବହୁତ ଅବ୍ୟବସ୍ଥା ଦେଖାଦେଇଛି। ଶୌଚାଳୟ ଓ ୱାର୍ଡଗୁଡ଼ିକ ନିୟମିତ ସଫା କରା ଯାଉ ନ ଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି। ଫଳରେ ରୋଗୀ ଓ ସମ୍ପର୍କୀୟମାନେ ଅଣନିଃଶ୍ୱାସୀ ହେଉଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି। ସଫେଇ କର୍ମଚାରୀମାନେ ରୋଗୀ ୱାର୍ଡଗୁଡ଼ିକୁ ଫିନାଇଲ ବଦଳରେ ପାଣି ଛିଞ୍ଚି ନାମକୁ ମାତ୍ର ସଫେଇ କରି ଚାଲିଯାଉଛନ୍ତି। ଶୋଚାଳୟ ବା ଅନ୍ୟସ୍ଥାନଗୁଡ଼ିକୁ ଭଲରେ ସଫା କରୁ ନାହାନ୍ତି ା ଡଷ୍ଟବିନଗୁଡ଼ିକରେ ଭଲ ଭାବରେ ପଲିଥିନ ଲାଗୁ ନ ଥିବାରୁ ଅଳିଆ ଆବର୍ଜନା ସେଠାରେ ପଡ଼ି ରହୁଛି। ନିୟମିତ ଭାବରେ ସଫା ସୁତୁରା ହେଉ ନ ଥିବାରୁ ଆବର୍ଜନା ପଚିଶଢ଼ି ଦୁର୍ଗନ୍ଧ ହେଉଛି। ଅନେକ ସମୟରେ ତଦାରଖ ଅଭାବରୁ ରୋଗୀ ଓ ସମ୍ପର୍କୀୟମାନେ ଭଲ ଭାବରେ ସଫା ନ କରି ଶୌଚାଳୟରୁ ବାହାରି ଆସୁଛନ୍ତି, ଯାହାକୁ ଅନ୍ୟ ରୋଗୀ ବା ସମ୍ପର୍କୀୟମାନେ ବ୍ୟବହାର କରିପାରୁ ନାହାନ୍ତି। ସେହିଭଳି ମା’ ଓ ଶିଶୁ ବିଭ଼ାଗର ଶୌଚାଳୟଗୁଡ଼ିକ ମଧ୍ୟ ବହୁ କଦର୍ଯ୍ୟ ଅବସ୍ଥାରେ ପଡ଼ିଛି। ଗର୍ଭବତୀ ଓ ପ୍ରସୂତାମାନେ ଶୌଚ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣିର ସୁବିଧା ଥିଲେ ମଧ୍ୟ ରୋଗୀ ଓ ସମ୍ପର୍କୀୟମାନେ ସଫା ନ କରି ପଳାଇ ଆସୁଛନ୍ତି। ଅପରିଷ୍କାର ଶୌଚାଳୟରେ ଶୌଚ କରି ଅନ୍ୟମାନେ ସଂକ୍ରମିତ ହେଉଛନ୍ତି। ହସ୍ପିଟାଲ ଡ୍ରେନ୍‌ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବାରୁ ମଶା ମାଛି ବଂଶ ବୃଦ୍ଧି ହୋଇ ସଂକ୍ରମଣକୁ ଆମନ୍ତ୍ରଣ କରୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ଜିଲା ତଥା ଜିଲା ବାହାରୁ ହଜାର ହଜାର ରୋଗୀ ଆସୁଛନ୍ତି। ଚିକିତ୍ସାଳୟ ପରିସର ଅପରିଷ୍କାର ଅପରିଚ୍ଛନ୍ନତା ରହୁଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ୮ଟି ଲିଫ୍ଟ ରହିଥିବା ବେଳେ ୫ଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି। ଫଳରେ କାର୍ଯ୍ୟକ୍ଷମ ରହିଥିବା ୩ଟି ଲିଫ୍ଟରେ ରୋଗୀ ଠିକ ସମୟରେ ଠିକଣା ସ୍ଥାନକୁ ପହଞ୍ଚତ୍ ପାରୁ ନାହାନ୍ତି ା ଏହା ଉପରେ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି ା ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠୀଙ୍କୁ ପଚାରିବାରୁ ପ୍ରତ୍ୟେକ ଦିନ ସଫା କରାଯାଉଛି। ସଫେଇ ଓ ଲିଫ୍ଟ ପାଇଁ ଏଜେନ୍ସିଙ୍କୁ ଦିଆଯାଇଛି ା ଏହାର ତଦାରଖ ପାଇଁ ହସ୍ପିଟାଲ ମ୍ୟାନେଜର ଓ ସୁପରଭାଇଜର ରହିଛନ୍ତି। ସେମାନେ ପ୍ରତିଦିନ ଯାଇ ତଦାରଖ କରୁଛନ୍ତି। କେଉଁଠି ଛାଡ଼ି ହୋଇଯାଇଥିବ ବୋଲି ସେଠୀ କହିଥିଲେ ା ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ଏହା ଉପରେ ତଦନ୍ତ କରାଯିବ। କାର୍ଯ୍ୟରେ ଯିଏ ଅବହେଳା କରୁଛି ତା’ ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।