ନୂଆପଡ଼ା ଉପନିର୍ବାଚନ: କିଏ ଜିତିବ ବାଜି, ପ୍ରମୁଖ ଦଳ ପାଇଁ ଅଗ୍ନିପରୀକ୍ଷା

ନୂଆପଡ଼ା,୧୮ା୧୦ (ମକାରୁ ବେମାଲ):ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ୩ ଦଳର ପ୍ରାର୍ଥୀ ଘୋଷଣା ସରିଛି। ପ୍ରଥମେ ଜାତୀୟ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଳମ୍ବରେ ଭାଜପା ଜୟ ଢୋଲକିଆ ଓ ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି। ଶୁକ୍ରବାର ସୁଦ୍ଧା କୌଣସି ଦଳ ପ୍ରାର୍ଥତ୍ପତ୍ର ଦାଖଲ କରି ନାହାନ୍ତି। ଭାଜପା ଓ ବିଜେଡି ନିର୍ବାଚନୀ ମଇଦାନକୁ ଆସି ନ ଥିବାବେଳେ କଂଗ୍ରେସ ମଇଦାନକୁ ଓହ୍ଲାଇ ସାରିଛି ା କଂଗ୍ରେସ ପ୍ରାର୍ଥୀ ମାଝିଙ୍କ ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗ ଧରିଛନ୍ତି। ଅନ୍ୟପଟେ ଶାସକ ଦଳର ବିଧାୟକ, ମନ୍ତ୍ରୀମାନେ ନୂଆପଡାରେ ଡେରା ପକାଇ ସଂଗଠନ ସଜାଡିବାରେ ଲାଗିଛନ୍ତି। ପୂର୍ବରୁ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ ରହିଥିଲା। ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଭାଜପାରେ ଯୋଗ ଦେଲା ପରେ ରାଜନୀତି ସମୀକରଣ ଓଲଟପାଲଟ ହୋଇଯାଇଛି। ବିଜେଡି ଗଡ ରକ୍ଷା କରି ପାରିବ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଗତ ୨୦୨୪ ନିର୍ବାଚନରେ ୫୦ ହଜାର ୯୪୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ମାଝି ପ୍ରଚାର କାର୍ଯ୍ୟକୁ ଜୋରଦାର କରି ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷେ ଶାସକ ଦଳ ଭାଜପା ସମ୍ମାନ ରକ୍ଷା ପାଇଁ କିଭଳି ରଣନୀତି ଆପଣାଉଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ବୋଲି ରାଜନୀତି ସମୀକ୍ଷକ ମତ ଦେଉଛନ୍ତି। ଦେଖିବାକୁ ଗଲେ ନୂଆପଡା ଉପନିର୍ବାଚନ ପ୍ରମୁଖ ଦଳଗୁଡିକ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି। ନୂଆପଡା ନିର୍ବାଚନ ମଣ୍ଡଳୀର ଭୋଟର କାହାକୁ ବିଜୟ ମୁକୁଟ ପିନ୍ଧାଇବେ ତାହା ଆସନ୍ତା ୧୪ରେ ଫଳାଫଳ ଘୋଷଣା ପରେ ଜଣାପଡିବ।

 

Dharitri – Odisha’s No.1 Odia Daily