ନୂଆପଡ଼ା,୩୦ା୧୦ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପାଖେଇ ଆସୁଥିବାବେଳେ ତିନି ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଦେଲେଣି। ଏବେ ଏଠାରେ ମନ୍ତ୍ରୀ, ବିଧାୟକ, ଏମ୍ପି ଓ ବିଭିନ୍ନ ଦଳର ହେଭିୱେଟ ନେତା ଡେରା ପକାଇ ପ୍ରଚାରରେ ଲାଗି ପଡିଛନ୍ତି। ଚଳିତ ଉପନିର୍ବାଚନରେ ୩୫୮ଟି ବୁଥ୍ରେ ସମୁଦାୟ ୨ଲକ୍ଷ ୫୩ ହଜାର ୬୪୪ ଜଣ ମତଦାତା ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧ଲକ୍ଷ ୨୪ ହଜାର ୧୦୮ ଜଣ ପୁରୁଷ, ୧ଲକ୍ଷ ୨୯ ହଜାର ୪୯୫ ଜଣ ମହିଳା ଓ ୨୧ ଜଣ ତୃତୀୟଲିଙ୍ଗୀ ମତଦାତା ଅଛନ୍ତି। ନୂଆପଡ଼ା ଏନ୍ଏସିରେ ୧୩ ହଜାର ୮୨୮ ଜଣ ମତଦାତାଙ୍କ ମଧ୍ୟରୁ ୬ ହଜାର ୭୦୩ ଜଣ ପୁରୁଷ ଓ ୭ ହଜାର ୧୨୪ ଜଣ ମହିଳା ଭୋଟର ଅଛନ୍ତି। ଏଠାରେ ଜଣେ ତୃତୀୟଲିଙ୍ଗୀ ମତଦାତା ଅଛନ୍ତି। ସେହିପରି ଖରିଆର ରୋଡ ଏନ୍ଏସିରେ ୭ ହଜାର ୩୮୩ ଜଣ ପୁରୁଷ, ୮ ହଜାର ୩ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ନୂଆପଡ଼ା ବ୍ଲକରେ ୩୧ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ ରହିଥିବା ବେଳେ ୫୩ ହଜାର ୫୧୮ ଜଣ ପୁରୁଷ, ୫୫ ହଜାର ୩୮୮ ଜଣ ମହିଳା ଓ ୧୩ ଜଣ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ସେହିପରି କୋମନା ବ୍ଲକରେ ୩୨ ଗ୍ରାମ ପଞ୍ଚାୟତ, ୩ ଜିଲା ପରିଷଦ ଜୋନ ରହିଥିବା ବେଳେ ୫୬ ହଜାର ୫୦୪ ଜଣ ପୁରୁଷ, ୫୮ ହଜାର ୯୮୦ ଜଣ ମହିଳା ଓ ୬ ଜଣ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ଲକ ଓ ଏନ୍ଏସି ସବୁଠି ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କଠୁ ଅଧିକ ଅଛନ୍ତି। ତେଣୁ ଚଳିତ ଉପନିର୍ବାଚନରେ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆକଳନ କରାଯାଉଛି। ମହିଳା ଭୋଟରଙ୍କୁ ଆକୃଷ୍ଟ କରି ନିଜ ସପକ୍ଷକୁ ଆଣିବା ପାଇଁ ତିନି ପ୍ରମୁଖ ଦଳ ଜୋରଦାର ପ୍ରୟାସ କରୁଛନ୍ତି। ତିନିପ୍ରମୁଖ ଦଳ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ମହିଳା ସମାବେଶ କରାଯାଉଛି। ଭାଜପା ସୁଭଦ୍ରା ଯୋଜନା ଉପରେ ଫୋକସ କରୁଥିବା ବେଳେ ବିଜେଡ଼ି ସରକାରରେ ଥିବା ସମୟରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି ଗଠନ କରି ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରିଥିବା କହି ପ୍ରଚାର କରୁଛି। ଏହା ସହିତ ବିଜେଡି ମହିଳା ଭୋଟରଙ୍କୁ ହାତେଇବା ପାଇଁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି। ସେହିପରି କଂଗ୍ରେସ ମହିଳାଙ୍କୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା କହି ପ୍ରଚାର ଚଳାଇଛି।