ନୂଆପଡ଼ା ଉପନିର୍ବାଚନ ଜନାଦେଶ ନୁହେଁ, ଯନ୍ତ୍ରାଦେଶ: ସ୍ନେହାଙ୍ଗିନୀ 

ନୂଆପଡ଼ା,୧୯ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ଅର୍ଥବଳ, ବାହୁବଳ, ସରକାରୀ କଳ ପ୍ରୟୋଗ କରି ଜନାଦେଶରେ ନୁହେଁ ଯନ୍ତ୍ରାଦେଶରେ ବିଜୟୀ ହୋଇଛି ବୋଲି ମଙ୍ଗଳବାର ସ୍ଥାନୀୟ ଖୁଣ୍ଟିଆ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି। ସେ ଆହୁରି କହିଥିଲେ, ନୂଆପଡ଼ାରେ ବିଜେଡି ପ୍ରତି ସମର୍ଥନ ରହିଛି। କିନ୍ତୁ ତାହା ଭୋଟରେ ପ୍ରତିଫଳିତ ହୋଇପାରିଲା ନାହିଁ। ବିଜେଡି ନେତାଙ୍କ ଘରେ ଆୟକର ବିଭାଗ ଦ୍ୱାରା ଚଢାଉ କରାଇ ଭୟଭୀତ କରାଯାଇଥିଲା। ବିଜେଡି ଟଙ୍କା ରଖି ନିର୍ବାଚନ ଲଢୁଛି ବୋଲି ପ୍ରୀତିରଞ୍ଜନ ଘଡାଇ ରହୁଥିବା ଖରିଆର ରୋଡ୍‌ ଅସ୍ଥାୟୀ ଭଡାଘର, ନୂତନ କରି ବିଜେଡିରେ ଯୋଗ ଦେଇଥିବା ଖରିଆର ରୋଡ୍‌ର ମହମ୍ମଦ ଜୁନେଦ, ବିଜେଡି ପୂର୍ବତନ ଜିଲା ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ରଙ୍କ କୋମନାସ୍ଥିତ ବାସଭବନରେ ଚଢାଉ କରାଯାଇଥିଲା। ସେହିପରି କଂଗ୍ରେସର ଯୁବନେତା ଅଙ୍କିତ ସିଂଘାଇଙ୍କ ଖରିଆର ରୋଡ୍‌ସ୍ଥିତ ବାସଭବନରେ ଆୟକର ବିଭାଗ ଓ ପୋଲିସ ଚଢାଉ କରିଥିଲେ। କେବଳ ବିଜେଡି ଓ କଂଗ୍ରେସ ଅର୍ଥ କାରବାର କରୁଥିବା ଅଭିଯୋଗ ଆଣି ଚଢାଉ କରାଗଲା। ଭାଜପା ଅର୍ଥ କାରବାର କରିନାହିଁ କି ବୋଲି ସେ ପ୍ରଶ୍ନ କରିଥିଲେ। ସାଇଲେଣ୍ଟ ପିରିୟଡରେ ନିର୍ବାଚନ ଆଚରଣବିଧିକୁ ସମ୍ମାନ ଜଣାଇ ବିଜେଡି ନେତାମାନେ ନୂଆପଡ଼ା ଛାଡି ଚାଲିଯାଇଥିଲେ। ହେଲେ ଭାଜପା ନେତାମାନେ ଟଙ୍କା ବଣ୍ଟା କାର୍ଯ୍ୟରେ ଲିପ୍ତ ରହିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ମୁ ନୂଆପଡାବାସୀଙ୍କ ଦୁଃଖସୁଖରେ ଠିଆ ହେବା ସହ ନ୍ୟାୟ ପାଇଁ ଲଢେଇ କରିବି ବୋଲି ଛୁରିଆ କହିଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା ସଭାପତି ଅବନୀ ରଞ୍ଜନ ଜୋଷୀ, ମନୋଜ କୁମାର ମିଶ୍ର, ରାଜେଶ ନିଗମ, ଭାନୁ ପ୍ରତାପ ସିଂ ମାଝି, ହେମନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

Share