ନୂଆପଡ଼ା ଉପନିର୍ବାଚନ:ଜାତିଭିତ୍ତିକ ଭୋଟକୁ ପ୍ରମୁଖ ଦଳର ପ୍ରାଧାନ୍ୟ

ନୂଆପଡ଼ା,୨୮ା୧୦(ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଗୁରୁତ୍ୱ ଦେଇ ଜାତିଭିତ୍ତିକ ଭୋଟକୁ ପ୍ରାଧାନ୍ୟ ଦେଉଛନ୍ତି। ସବୁଠାରୁ ବଡ ଭୋଟ ଆଦିବାସୀମାନଙ୍କର ଥିବାବେଳେ ଏବେ ଏସ୍‌ସି ଓ ଓବିସି ଭୋଟ ଉପରେ ନେତା ବିଶେଷ ଧ୍ୟାନ ଦେଉଛନ୍ତି। ଏହି ଜାତିଭିତ୍ତିକ ଭୋଟ ହାତେଇବା ପାଇଁ ପ୍ରମୁଖ ଦଳ ସେହି ଜାତିର ଟାଣୁଆ ନାତାମାନଙ୍କୁ ନିଜ ସପକ୍ଷକୁ ଟାଣୁଛନ୍ତି। ଭାଜପା ଓବିସି ଭୋଟ ହାତେଇବା ପାଇଁ ବିଜେଡିରେ ତିନିଥର ପ୍ରାର୍ଥୀ ହୋଇଥିବା ଟାଣୁଆ ନେତା ତଥା ଉକତ୍ଳ ଯାଦବ ମହାସଂଘର ସଚିବଙ୍କୁ ନିଜ ସପକ୍ଷରେ ନେବା ସହ ବିଜେଡିରୁ କ୍ଷମାସିଂ ନିଆଲ, ବରିଷ୍ଠ ଆଇନଜୀବୀ ଧନୀରାମ ସାହୁ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଳକର ସମେତ ବିଭିନ୍ନ ପଞ୍ଚାୟତର ଓବିସି ବର୍ଗର ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟମାନଙ୍କୁ ନିଜ ସପକ୍ଷକୁ ଟାଣି ନେଇଛନ୍ତି। ସେମାନେ ଓବିସି ଭୋଟ ହାତେଇବା ପାଇଁ ଗାଁ ଗାଁ କ୍ୟାମ୍ପେନ କରୁଛନ୍ତି। ସେହିପରି କଂଗ୍ରେସ ଦଳରେ ଯାଦବ ସମାଜର ଜିଲା ସଭାପତି ଭରତ ଲାଲ ରାଉତ, କପିଳେନ୍ଦ୍ର ଯାଦବ ଓବିସି ଭୋଟରଙ୍କ ପାଖକୁ ଯାଇ ଭୋଟ ସାଉଁଟିବାରେ ଲାଗିଛନ୍ତି। ବିଜେଡିରେ ଥିବା ଓବିସି ଟାଣୁଆ ନେତାମାନେ ଦଳ ଛାଡି ଅନ୍ୟ ଦଳକୁ ଚାଲିଯିବାରୁ ବରଗଡ ଜିଲାରୁ ଯାଦବ ସମାଜ ଜିଲା ସଭାପତି ରାଜୁ ଘିବେଲା ଆସି ଓବିସିମାନଙ୍କୁ ପ୍ରବର୍ତ୍ତାଇବାରେ ଲାଗିଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ଓବିସି ଭୋଟ ୪୦ ହଜାରରୁ ଊର୍ଦ୍ଧ୍ୱ ରହିଥିବା ବେଳେ ସବୁ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ଓବିସିଙ୍କୁ ପ୍ରଲୋଭନ ଦେଖାଇ ନିଜ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ନେତାଙ୍କ ପ୍ରଲୋଭନରେ ଆମେ ଯିବୁ ନାହିଁ। ଯିଏ ଜିଲାର ବିକାଶ ପାଇଁ କାର୍ଯ୍ୟ କରିବ, ସମସ୍ତଙ୍କ ଦୁଃଖସୁଖରେ ସହଭାଗୀ ହେବ ସେଭଳି ପ୍ରାର୍ଥୀଙ୍କୁ ଚୟନ କରି ଭୋଟ ଦେବୁ ବୋଲି ଜଣେ ଓବିସି ଭୋଟର କହିଛନ୍ତି।

 

Dharitri – Odisha’s No.1 Odia Daily