ନୂଆପଡ଼ା ଉପନିର୍ବାଚନ: ତ୍ରୁଟିଶୂନ୍ୟ ଉପରେ ଗୁରୁତ୍ୱାରୋପ

ନୂଆପଡ଼ା,୨୭ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତିର ଏକ ଅଂଶସ୍ବରୂପ ଦ୍ୱିତୀୟ ବ୍ୟାଚ୍‌ ସେକ୍ଟର ଅଧିକାରୀ, ଜିଲା ଓ ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନରଙ୍କ ପାଇଁ ରବିବାର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ତାଲିମପ୍ରାପ୍ତ ଅଧିକାରୀମାନେ ଆଗାମୀ ଦ୍ୱିତୀୟ ପର୍ଯ୍ୟାୟ ତାଲିମରେ ପ୍ରିଜାଇଡିଂ ଅଧିକାରୀମାନଙ୍କୁ ଏସବୁ ବିଷୟରେ ତାଲିମ ପ୍ରଦାନ କରିବେ। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ମଧୁସୂଦନ ଦାଶ ଅଧିକାରୀମାନଙ୍କୁ ସମ୍ବୋଧିତ କରି ସ୍ବଚ୍ଛ ଏବଂ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅଧିକାରୀମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ବୈଷୟିକ ଅଧିବେଶନରେ ଏନ୍‌ଆଇସି ଡିଆଇଓ ବିନୟ ତିୱାରୀ ଇସିଆଇଏମ୍‌ଇଟି ପିଆର୍‌ଓ ଆପ୍‌ ବିଷୟରେ ବୁଝାଇଥିଲେ। ପରେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଯନ୍ତ୍ରୀ ଆଲବର୍ଟ ଆଶୀର୍ବାଦ ପାତ୍ର ଓ ଡେପୁଟି କଲେକ୍ଟର ଶେଖ ନସିମ ଅଧିକାରୀମାନଙ୍କୁ ଇଭିଏମ୍‌ ଓ ଭିଭିପିଏଟି ପରିଚାଳନା ପାଇଁ ପ୍ରାକ୍ଟିକାଲ ଟ୍ରେନିଂ ପ୍ରଦାନ କରିଥିଲେ। ଶିବିରରେ ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁଜୁର, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସମସ୍ତ ତହସିଲଦାର, ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ନିର୍ବାଚନ ପରିଚାଳନା ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟାନ୍ବୟନ କ୍ଷେତ୍ରରେ ସେକ୍ଟର ଅଧିକାରୀ ଏବଂ ମାଷ୍ଟର ଟ୍ରେନରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଜିଲାପାଳ ସେମାନଙ୍କୁ ଦାୟିତ୍ୱ ସମ୍ପନ୍ନ ଭାବରେ କାର୍ଯ୍ୟନିର୍ବାହ କରିବା ପାଇଁ ଆହ୍ବାନ ଦେଇଥିଲେ।

Dharitri – Odisha’s No.1 Odia Daily