ନୂଆପଡ଼ା ଉପନିର୍ବାଚନ: ପ୍ରାର୍ଥୀ ଘୋଷଣାରେ ଆଗରେ କଂଗ୍ରେସ

ନୂଆପଡ଼ା,୧୧ା୧୦ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ସରଗରମ ହେବାରେ ଲାଗିଛି। ୩ ପ୍ରମୁଖ ଦଳ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଆଗରେ ରହିଛି। ବିଜେଡିର ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ ପଦଯାତ୍ରା ମାଧ୍ୟମରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛି। ଭାଜପା ପ୍ରାର୍ଥୀ ଘୋଷଣା କରିବା ନେଇ ଅଡୁଆରେ ପଡିଯାଇଛି। ଆଶାୟୀଙ୍କ ଲମ୍ବା ଲାଇନ ଥିବାରୁ ନୂଆ ମୁହଁ ନ ଅନ୍ୟ କିଏ ତାକୁ ନେଇ ଚର୍ଚ୍ଚା ହେଉଛି। ନୂଆପଡା ଜିଲାକୁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଗସ୍ତ କରିଥିଲେ ମଧ୍ୟ ପ୍ରାର୍ଥୀ ଚୟନ ହୋଇପାରି ନ ଥିବାରୁ ଆଶାୟୀଙ୍କ ମଧ୍ୟରେ ଅଶାନ୍ତି ବଢିବାରେ ଲାଗିଛି। ଏହା ପୂର୍ବରୁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ କରିଥିଲେ। ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ହୋଇ ୧୪ରେ ଗଣତି ହେବ। ଅକ୍ଟୋବର ୨୦ରେ ପ୍ରାର୍ଥତ୍ପତ୍ର ଦାଖଲର ଶେଷ ତାରିଖ ରହିଛି। ହେଲେ ଏଯାଏ ଭାଜପା ପ୍ରାର୍ଥୀ ଘୋଷଣା କରି ନାହିଁ। କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ଭୋଟ ହାତେଇବା ପାଇଁ ଭୋଟରଙ୍କ ନିକଟତର ହେବାରେ ଲାଗିଛି। ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ନାମ ଆସୁ ନ ଥିବାବେଳେ ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆଙ୍କ ନାମ ଶୁଣିବାକୁ ମିଳୁଛି। ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଅନ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ, ଜିଲାର ତୁଙ୍ଗ ନେତା ଓ କର୍ମୀ ପଦଯାତ୍ରା ମାଧ୍ୟମରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଲେଣି। ଭାଜପାରୁ ପ୍ରାର୍ଥୀ କିଏ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

 

Dharitri – Odisha’s No.1 Odia Daily

 

Share