ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରର ରବିବାର ଥିଲା ଶେଷ ଦିନ। ଏହି ଅବସରରେ କନ୍ଧମାଳ ଜିଲାର ବହୁ ଭାଜପା ନେତା ଓ କର୍ମୀ ପ୍ରଚାର ସମାପ୍ତ କରି ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି।
କନ୍ଧମାଳରୁ ଯାଇଥିବା ଭାଜପା କର୍ମୀମାନେ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ଯଥା: ବିକଶିତ ଗାଁ ବିକଶିତ ଓଡ଼ିଶା, ସୁଭଦ୍ରା ଯୋଜନା, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଆୟୁଷ୍ମାନ କାର୍ଡର ଫାଇଦା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।
ଦାରିଙ୍ଗବାଡ଼ି ବ୍ଲକର ସୁକାନ୍ତ କୁମାର ସାହୁ (ରାଜ୍ୟ ପରିଷଦ ସଦସ୍ୟ)ଙ୍କୁ ଜୟଜଙ୍ଘା ମଣ୍ଡଳର ଆମାନାରା ପଞ୍ଚାୟତ ଦାୟିତ୍ୱ ଦିଆଯାଇଥିଲା। ସେଠାରେ ୮ଟି ବୁଥ୍ରେ ମୋଟ୍ ୫ ହଜାର ୪୮ ଜଣ ମତଦାତା ଅଛନ୍ତି। ସେ ଓ ତାଙ୍କ ସହ କନ୍ଧମାଳ ଜିଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ ଏବଂ ରଞ୍ଜନ କୁମାର ସାହୁ ମିଳିତ ଭାବେ ସେଠାରେ ବ୍ୟାପକ ପ୍ରଚାର କରିଥିଲେ।
କନ୍ଧମାଳ ଜିଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ଯେ ପ୍ରଚାର ସମୟରେ ବିଭିନ୍ନ ଗାଁରେ ହୋଇଥିବା ବୈଠକରେ ପ୍ରାୟ ଦେଢ଼ ଶହ ବିଭିନ୍ନ ଦଳର (କଂଗ୍ରେସ, ବିଜେଡି) କର୍ମୀ, ବିଜେଡିର ଲୋକ ପ୍ରତିନିଧି ଏବଂ ସଭାପତି ପ୍ରମୁଖ ଭାଜପାରେ ସାମିଲ ହୋଇଛନ୍ତି।