ନୂଆପଡ଼ା,୨୯ା୧୦ (ମକାରୁ ବେମାଲ): ୨୦୨୪ ନିର୍ବାଚନୀ ଇସ୍ତାହାରରେ ଯାହା କହିଥିଲୁ ଗୋଟି ଗୋଟି କରି ୫୦ ପ୍ରତିଶତ ପୂରଣ କରିସାରିଲୁଣି। ଆମର ଶାସନ କାଳ ଭିତରେ ବାକି ଯାହା ରହିଛି ତାହା ପୂରଣ କରି ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବୁ। ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୧୪ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇ ସାରିଛନ୍ତି ବୋଲି ନୂଆପଡ଼ା ଜିଲା ଖରିଆର ରୋଡ୍ ଗୁଜରାଟୀ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହା କହିଛନ୍ତି। ସେ ଆହୁରି କହିଥିଲେ, ରାଜ୍ୟରେ ଭାଜପା ସରକାରକୁ ମାତ୍ର ୧୬ ମାସ ହୋଇଛି। ୨୪ ବର୍ଷ ଶାସନ କରିଥିବା ସରକାର ଯାହା କରିପାରି ନ ଥିଲା ୧୬ ମାସର ସରକାର ତାହା କରି ଦେଖାଇଛି। ପୂର୍ବରୁ ଧାନ କୁଇଣ୍ଟାଲ ୧୩ ଶହ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୩୧ ଶହ ଟଙ୍କାରେ ପହଞ୍ଚତ୍ଛି। ସେହିପରି ଛାତ୍ରବୃତ୍ତି, ସୁଭଦ୍ରା ଯୋଜନା, ପ୍ରଧାନ୍ତ୍ରମନ୍ତ୍ରୀ ଆବାସ ଗୃହ ଯୋଜନା, ଅନ୍ତ୍ୟୋଦୟ ଯୋଜନା, ଆୟୁଷ୍ମାନ ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ଆମେ ଆଗରୁ କହିଥିଲୁ ଏବେ ମଧ୍ୟ କହୁଛୁ, ନୂଆପଡ଼ାର ବିକାଶ ହେଲେ ରାଜ୍ୟ ବିକାଶ ହେବ। ଆମେ କୌଣସି ଜାତିର ନୁହେଁ, ବିକାଶର କାର୍ଡ ଖେଳୁଛୁ। ନିର୍ବାଚନ ସମସ୍ତ ସମାଜକୁ ନେଇ ଲଢାଯାଏ, କୌଣସି ଜାତିକୁ ନେଇ ନୁହେଁ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବହୁମତରେ ବିଜୟୀ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ସିଂଦେଓ କହିଥିଲେ। ସେହିପରି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, କେନ୍ଦ୍ର ସରକାରଙ୍କ ସୁଶାସନ ଯୋଗୁ ୨୦୨୪ରେ ରାଜ୍ୟରେ ସରକାର ଗଠନ କରିପାରିଛୁ। ରାଜ୍ୟ ମଧ୍ୟ ବିକାଶପଥରେ ଆଗେଇ ଚାଲିଛି। ପୂର୍ବତନ ବିଧାୟକ ସ୍ବର୍ଗତ ଢୋଲକିଆ ନୂଆପଡା ନିର୍ବାଚନମଣ୍ଡଳୀରେ ୪ଥର ବିଧାୟକ ହୋଇ ବିକାଶ ପଥରେ ଆଗେଇ ନେଉଥିଲେ। ତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେଇଛନ୍ତି। ନୂଆପଡାରେ ମେଡିକାଲ କଲେଜ ପାଇଁ କେନ୍ଦ୍ରରୁ ଅନୁମୋଦନ ହୋଇସାରିଛି। ନିର୍ବାଚନ ସରିଲେ ଉଦ୍ଘାଟନ ହେବ। ନୂଆପଡା ଜିଲାରେ ଦାଦନ ଏକ ବଡ ସମସ୍ୟା। ଏହାକୁ କିପରି ରୋକାଯାଇପାରିବ ତା’ର ମଧ୍ୟ ବିକଳ୍ପ ବ୍ୟବସ୍ଥା କରିସାରିଛୁ ବୋଲି ମନମୋହନ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି କମଲେଶ ଦୀକ୍ଷିତ, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚତ୍ ନାରାୟଣ ତ୍ରିପାଠୀ, ଭାଜପା ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।