ମାମୁ ଘର କହି ଭୁଆଁ ବୁଲାଉଛନ୍ତି ସ୍ନେହାଙ୍ଗିନୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

ନୂଆପଡ଼ା,୨୬ା୧୦ (ମକାରୁ ବେମାଲ): ରାଜ୍ୟରେ ୨୪ ବର୍ଷର ସରକାର ଥିଲା। କିନ୍ତୁ ମହିଳାମାନଙ୍କୁ ହାତଖର୍ଚ୍ଚ ଦେଇ ନ ଥିଲା। ମୋହନ ସରକାର ଆସିଲା ପରେ ମହିଳାମାନଙ୍କୁ ବର୍ଷକୁ ୧୦ ହଜାର କରି ୫ ବର୍ଷରେ ୫୦ ହଜାର ଟଙ୍କା ଦେବ ବୋଲି ଘୋଷଣା କରିଛି। ବର୍ତ୍ତମାନ ୩ କିସ୍ତିରେ ମହିଳାମାନେ ୧୫ ହଜାର ଟଙ୍କା ପାଇସାରିଲେଣି। ପ୍ରତିବର୍ଷ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ୫ ହଜାର ଲେଖାଏ ପ୍ରଦାନ କରାଯିବ। ସେହି ଟଙ୍କା ବିନିଯୋଗ କରି ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ। ବର୍ତ୍ତମାନ ସୁଦ୍ଧା ୧ କୋଟି ୨୨ ହଜାର ସୁଭଦ୍ରା ମା’ ଓ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଲକ୍ଷପତି ଦିଦି ହୋଇ ସାରିଲେଣି ବୋଲି ଶନିବାର ନୂଆପଡ଼ା ଗସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଜିଲା କାର୍ଯ୍ୟାଳୟଠାରେ ଆୟୋଜିତ ସୁଭଦ୍ରା ଶକ୍ତି ସମାବେଶରେ ଯୋଗଦେଇ ଏହା କହିଥିଲେ। ସେ ଆହୁରି କହିଥିଲେ, ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ବରଗଡ ଜିଲାରୁ ଆସି ପ୍ରାର୍ଥୀ ହୋଇଛନ୍ତି ା ତାଙ୍କୁ ନୂଆପଡ଼ାବାସୀ ଚିହ୍ନି ନାହାନ୍ତି। ଭୋଟ ହାତେଇବା ପାଇଁ ପଶ୍ଚିମ ଓଡ଼ିଶାର ବୋହୂ, ନୂଆପଡ଼ା ମାମୁ ଘର କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଝିଅ ଶାଶୁ ଘର ଗଲେ ବାପା ଘର ପର ଓ ମାମୁ ଘର ସାତ ପର ହୋଇଯାଏ ବୋଲି ପ୍ରଭାତୀ କହିଥିଲେ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ଡବଲ ଇଞ୍ଜିନ ସରକାର ନିର୍ବାଚନୀ ଇସ୍ତାହାରରେ ଯାହା କହେ ସେଇଟା କରି ଦେଖାଏ। ୨୦୨୪ ନିର୍ବାଚନରେ ଧାନ କୁଇଣ୍ଟାଲ ୩୧ ଶହ, ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥତ୍କ ସହାୟତା, ୮୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ୩୫ ଶହ ଟଙ୍କା ଭତ୍ତା, ଅସହାୟ ଗରିବଙ୍କୁ ଆବାସ ଗୃହ ଓ ଅନ୍ତ୍ୟୋଦୟ ଯୋଜନାରେ ସହାୟତା ଦିଆଯାଉଛି। ନୂଆପଡା ଜିଲାକୁ ଦୁଇଥର ମୁଖ୍ୟମନ୍ତ୍ରୀ ଗସ୍ତରେ ୧୪ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଘୋଷଣା କରିଛନ୍ତି। ନିର୍ବାଚନ ସରିଲା ପରେ ନୂଆପଡାରେ ମେଡିକାଲ କଲେଜ ଉଦ୍‌ଘାଟନ ହେବ। ଏହା ଦ୍ୱାରା ଲୋକଙ୍କୁ ଆଉ ଦୂରଦୂରାନ୍ତକୁ ଯିବାକୁ ପଡିବ ନାହିଁ ା ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କଲେ ଡବଲ ଇଞ୍ଜିନ ସରକାରରେ ଆଉ ଗୋଟିଏ ଡବା ଯୋଡି ହୋଇ ନୂଆପଡାର ବିକାଶ ହେବ ବୋଲି ସାମଲ କହିଛନ୍ତି। ଏହି ସମାବେଶରେ ଛତିଶଗଡ ରାଜ୍ୟ ମହାସମୁନ୍ଦ ସାଂସଦ ରୂପ କୁମାରୀ ଚୌଧୁରୀ, କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ପୂର୍ବତନ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍‌ ଏନ୍‌ଏସି ଅଧ୍ୟକ୍ଷା ସୋନିଆ ଜୈନ, ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ, ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ରାଜେଶ୍ୱରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ପୂର୍ଣ୍ଣିମା ନାଏକ ସଭା ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily