ଭୋପାଳରେ ନୂଆଁଖାଇ ଭେଟଘାଟ: ନାଚଗୀତରେ ମସଗୁଲ ହେଲେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ରବିବାର ୧୨ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁଦୁର ଭୋପାଳରେ ରହୁଥିବା ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ବେଶ ଧୁମଧାମରେ ଗଣପର୍ବ ନୂଆଖାଇ ପାଳନ କରିଛନ୍ତି।

କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାରୁ ପ୍ରାୟ ୩୦ଜଣ କଳାକାର ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭରେ ବିଭୁତି ଭୋଇଙ୍କ ଦ୍ବାରା ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ରିତିନିତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଡିଲେଶ୍ବର ବିଶାଳଙ୍କ ଦ୍ୱରା ସମଲେଶ୍ବରୀଙ୍କ ଭଜନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ସୁନ୍ଦରଗଡ଼ରୁ ଆସିଥିବା ସରସ୍ବତୀ କଳା କେନ୍ଦ୍ର ସାଂସ୍କୃତିକ ଦଳ ଗୀତର ତାଳେ ତାଳେ ନାଚିଉଠିଥିଲେ ଭୋପାଳରେ ରହୁଥିବା ପ୍ରବାସୀ ପଶ୍ଚିମ ଓଡିଶା ବାସୀ।

ଏହି ସହିତ ପଶ୍ଚିମ ଓଡିଶାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପରିବେଷଣ କରିଥିଲେ। ଭୋପାଲରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ମହିଳାମାନଙ୍କ ନୃତ୍ୟୁ ବେଶ ମନୋଲୋଭା ହୋଇଥିଲା। ସେମାନଙ୍କ ସମ୍ବଲପୁରୀ ଏବଂ ସାଦରି ନୃତ୍ୟ ପରିବେଷଣ ସମସ୍ତଙ୍କୁ ମୋହିତ କରିଥିଲା।

ପୂର୍ବତନ ସଚୀବ ପି.କେ ଦାସ, ଉମାକାନ୍ତ ପଣ୍ଡା, ପ୍ରଫେସର ପିକେ ବିଶ୍ୱାସ, ଆର୍‌କେ ବାରିକ, ସୋମନାଥ ସାହୁ, ସୁବୋଧ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବାର୍ଷିକ ସାଂସ୍କୃତିକ ପତ୍ରିକା ‘କହଁର’ର ଅଷ୍ଟମ ସଂସ୍କରଣ ଉନ୍ମୋଚିତ କରିଥିଲେ।

ବରଗଡ ଜିଲାରୁ ଆସିଥିବା କିଶୋର ମିଶ୍ରଙ୍କ ପାରମ୍ପରିକ ଖାଦ୍ୟ ପରିବେଷଣ କରିଥିଲେ। ଏଥିରେ ଲେଥା, କାକାରା, ରସବରା, କର୍ଡିରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ବେଶ ଆନନ୍ଦ ନେଇଥିଲେ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ ସମଲେଶ୍ୱରୀଙ୍କ ପ୍ରତିମୂର୍ତ୍ତି ବେଶ ମନୋଲୋଭା ହୋଇଥିବା ବେଳେ ଡାଲଖାଇ, ରସରକେଲି, ମାଏଲା ଜଡ, ଭାଇ ଯୁଉନ୍ତିଆ ସହିତ ରଙ୍ଗବତୀ ଗୀତ ଦର୍ଶନଙ୍କୁ ଦିନତମାମ ବନ୍ଧି ରଖିଥିଲା ।

କାର୍ଯ୍ୟକ୍ରମକୁ ଡିଲେଶ୍ବର ବିଶ୍ବାଳ ପରିଚାଳନା କରିଥିବା ବେଳେ ସମ୍ପାଦକ ସଞ୍ଜୀବ ନନ୍ଦ ସ୍ବାଗତ ଭାଷଣ ଏବଂ ବାର୍ଷିକ ଧାରାବିବରଣୀ ପ୍ରସ୍ତୁତ କରିଥିଲେ। ସଭାପତି ଭାବଗ୍ରାହୀ ପ୍ରଧାନ ସଂସ୍ଥାର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ।

ଶେଷରେ କିଶୋର କେର୍କେଟା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦୀପ ମାଝୀ, ରମଣୀ ମହାପାତ୍ର, ଭବାନୀ ଖମାରୀ, ଦିଲୀପ ମିଶ୍ର, ଶେଖର ଧାରୁଆ, ରାଧାକାନ୍ତ ମେହେର, ରମେଶ ରଣା, ବିଶ୍ବଜିତ ମାଝୀ, ସୁସେନ୍ଦ୍ର ମିଶ୍ର, ଜିତେନ୍ଦ୍ର ତ୍ରିପାଠୀ, ରମେଶ ପ୍ରଧାନ, ମହେଶ୍ବର କିଶାନ, ସମେତ ସମ୍ବଲପୁରୀ ପରିବାର ସମସ୍ତ ମିଶି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।