ବ୍ରହ୍ମପୁର,୧୪।୧୦(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ କଲେଜରେ ସୋମବାର ବିଳମ୍ବିତ ରାତିରେ କଟକ ମେଡିକାଲ ଛତ୍ରଙ୍କୁ ଆକ୍ରମଣ ହୋଇଛି। ଚିକିତ୍ସିତ ହୋଇ ସେମାନେ କଟକ ଫେରି ଯାଇଛନ୍ତି। ଏଭଳି ଘଟଣା ଘଟିବା ପରେ ଏମକେସିଜି ମେଡିକାଲ କଲେଜ ଡିନ ପ୍ରଫେସର ଗୀତାଞ୍ଜଳି ଦାଶ ଏହାକୁ ନିନ୍ଦା କରିଛନ୍ତି। ଇଣ୍ଟର ମେଡିସ ପ୍ରତିଯୋଗିତା ମେଡିକାଲ ଛାତ୍ର ଛାତ୍ରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁଷ୍ଠିତ ହୋଇଥାଏ। ହେଲେ ଅନ୍ୟ ମେଡିକାଲ କଲେଜ ଛାତ୍ରଙ୍କୁ ଆକ୍ରମଣ ଘଟଣା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି।
ସୋମବାର ରାତିରେ ବୁର୍ଲା ମେଡିକାଲ କଲେଜ ଛାତ୍ର ଏମକେସିଜିରେ ପହଞ୍ଚିଥିଲେ। ହେଲେ ସେଠାରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ହାଁମୁହିଁ ସ୍ଥିତି ହୋଇଥିବା ଖବର ପାଇ ସେ ସେଠାରେ ପହଞ୍ଚିଥିଲେ। ସେଠାରେ ସ୍ଥିତି ସ୍ବାଭାବିକ ରହିଥିବା ସେ ଜାଣିବାକୁ ପାଇଥିଲେ। ପରେ କଟକ ମେଡିକାଲ କଲେଜ ଛାତ୍ର ପହଞ୍ଚିଥିଲେ। ତେବେ ତାଙ୍କୁ ସ୍ବାଗତ ବେଳେ ପଥର ମାଡ଼ ହୋଇଥିଲା। ପରେ ସେମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ କଟକ ଫେରିଯାଇଛନ୍ତି ବୋଲି ସେ ଜାଣିବାକୁ ପାଇଥିଲେ । ଏଭଳି ଏକ ଦୁଃଖଦ ଘଟଣା ପରେ ଡିନ ଦାଶ ଅପରାର୍ହ୍ନ ୪ଟା ବେକେ ଏନେଇ ଏକ କାଉନ୍ସିଲ ବୈଠକ ଡାକିଛନ୍ତି। ଆଗକୁ ଏଭଳି ଇଣ୍ଟର ମେଡିସ ପ୍ରତିଯୋଗିତା କରାଯିବ ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ୨ ବର୍ଷ ତଳେ ବୁର୍ଲା ମେଡିକାଲ କଲେଜରେ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିବା ଏମକେସିଜିର ଛାତ୍ରଙ୍କୁ ସ୍ବାଗତ ନାଁରେ ଆକ୍ରମଣ କରାଯାଇଥିବା ଅଭିଯୋଗ ରହିଥିଲା ।