ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାରତର ଅନ୍ୟାନ୍ୟ ମେଳାମାନଙ୍କ ମଧ୍ୟରୁ ବୈଶାଖ ମେଳା ଅନ୍ୟତମ । ଏହି ମେଳା ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ବସୁ ଥିବାରୁ ମନୋରମ ଦୃଶ୍ୟ ସହ କୁଲୁ କୁଲୁ ନାଦରେ ପ୍ରବାହିତ ଚିରସ୍ରୋତା ଝରଣା ଭକ୍ତଙ୍କୁ ଟାଣିଆଣିଥାଏ।
ଆସନ୍ତା ବୈଶାଖ ମେଳା ଏପ୍ରିଲ ୨୭ ତାରିଖରୁ ଆରମ୍ଭ ହୋଇ ମଇ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏବିଡିଓ ପାଇକମାଳ ଦେବାଶିଷ ସିହ୍ନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଜିଲାପାଳ ଆଦିତ୍ୟ ଗୋୟଲ, ପଦ୍ମପୁର ଉପଜିଲାପାଳ ସ୍ନେହା ଅରୁଗୁଲା, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପାଣ୍ଡବ ଶବର, ବରଗଡ଼ ଏମ୍ପିଙ୍କ ପ୍ରତିନିଧି ପ୍ରିତେଶ ବହିଦାର, ପଦ୍ମପୁର ବିଧାୟକଙ୍କ ପ୍ରତିନିଧି ଗୌତମ ସିଂହ ଏବଂ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ପାଇକମାଳ ପଦ୍ମପୁର, ଝାରବନ୍ଧର ଖବରଦାତା ଏବଂ ସତେଚନ ନାଗରିକ ଯୋଗ ଦେଇଥିଲେ। ଜିଲାପାଳ ଗୋୟଲ ବୈଠକରେ ସମ୍ପୃକ୍ତ ସମସ୍ତ ବିଭାଗକୁ ନିଜ ନିଜ ଦାୟିତ୍ୱ ସମୟରେ ସଠିକ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ମନ୍ଦିରର ବିଭିନ୍ନ ସଦସ୍ୟ, କର୍ମକର୍ତ୍ତା ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହିଥିଲେ।