ନୂଆଦିଲ୍ଲୀ,୧୩।୮: ଭାରତୀୟ ରେଳ ବିଭାଗ ଦେଶର ୬,୧୧୫ଟି ରେଳ ଷ୍ଟେଶନରେ ମାଗଣା ଓ୍ବାଇ-ଫାଇ ସୁବିଧା ଯୋଗାଇ ଦେଉଛି। ମଙ୍ଗଳବାର ସଂସଦରେ ସରକାର ଏହି ସୂଚନା ଦେଇଛନ୍ତି। ଏହି ମାଗଣା ଓ୍ବାଇ-ଫାଇ ସେବା ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ, ଯାହାର ଲକ୍ଷ୍ୟ ସହରୀ ଓ ଗ୍ରାମାଞ୍ଚଳ ମଧ୍ୟରେ ଡିଜିଟାଲ ବ୍ୟବଧାନକୁ ଦୂର କରିବା।
ଆଇଏଏନ୍ଏସ୍ର ରିପୋର୍ଟ ଅନୁଯାୟୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, “ଭାରତୀୟ ରେଳବାଇର ପ୍ରାୟ ସମସ୍ତ ଷ୍ଟେସନରେ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ଦ୍ୱାରା ୪ଜି/୫ଜି କଭରେଜ ଯୋଗାଇ ଦିଆଯାଉଛି। ଏହି ନେଟୱାର୍କଗୁଡ଼ିକୁ ଯାତ୍ରୀମାନେ ଡାଟା ସଂଯୋଗ ପାଇଁ ବ୍ୟବହାର କରୁଛନ୍ତି, ଯାହା ସେମାନଙ୍କୁ ଉନ୍ନତ ଅନୁଭବ ପ୍ରଦାନ କରୁଛି। ଏହା ସହିତ ୬,୧୧୫ଟି ଷ୍ଟେଶନରେ ରେଳବାଇ ପକ୍ଷରୁ ମାଗଣା ଓ୍ବାଇ-ଫାଇ ସେବା ମଧ୍ୟ ଯୋଗାଇ ଦିଆଯାଇଛି।”ଏହି ଷ୍ଟେଶନଗୁଡ଼ିକରେ ଯାତ୍ରୀମାନେ ମାଗଣା ଓ୍ବାଇ-ଫାଇ ଜରିଆରେ ଏଚ୍ଡି ଭିଡିଓ ଦେଖିପାରିବେ, ମନୋରଞ୍ଜନ ସାମଗ୍ରୀ ଡାଉନଲୋଡ କରିପାରିବେ ଏବଂ ଅଫିସ କାମ କରିପାରିବେ।
ଓ୍ବାଇ-ଫାଇ ସୁବିଧା ପାଇବା ପାଇଁ ଯାତ୍ରୀଙ୍କୁ ନିଜ ସ୍ମାର୍ଟଫୋନରେ ଓ୍ବାଇ-ଫାଇ ମୋଡ଼ ଚାଲୁ କରି ‘ରେଳୱାୟାର’ ଓ୍ବାଇ-ଫାଇ ସହ ସଂଯୋଗ କରିବାକୁ ହେବ। ଏହାପରେ ଏସ୍ଏମ୍ଏସ୍ ଓଟିପି ପାଇଁ ନିଜ ମୋବାଇଲ ନମ୍ବର ଦାଖଲ କରିବାକୁ ହେବ, ଯାହାପରେ ଯାତ୍ରୀଙ୍କ ଡିଭାଇସରେ ଓ୍ବାଇ-ଫାଇ ସଂଯୋଗ ମିଳିଯିବ। ରେଳବାଇ ପକ୍ଷରୁ ଏହି ଓ୍ବାଇ-ଫାଇ ସୁବିଧା ନୂଆଦିଲ୍ଲୀ, ମୁମ୍ବାଇ ସେଣ୍ଟ୍ରାଲ, ଚେନ୍ନାଇ ସେଣ୍ଟ୍ରାଲ, ପୁଣେ, କୋଲକାତା, ଅହମଦାବାଦ, ହାଇଦ୍ରାବାଦ ଭଳି ପ୍ରମୁଖ ଷ୍ଟେସନଗୁଡ଼ିକ ସହ ଅନେକ ଟିୟର ୨ ଓ ଟିୟର ୩ ସହରର ଷ୍ଟେଶନରେ ମଧ୍ୟ ଉପଲବ୍ଧ। ଏଥିରେ ସୁରଟ, ବଡୋଦରା, ରାଜକୋଟ, ମେରଠ, ଭୋପାଳ ଭଳି ଟିୟର ୨ ସହର ଏବଂ ରୋହତକ ଓ କଟକ ଭଳି ଟିୟର ୩ ସହର ମଧ୍ୟ ଅନ୍ତର୍ଭୁକ୍ତ।
ଭାରତୀୟ ରେଳବାଇ ଷ୍ଟେଶନଗୁଡ଼ିକରେ ମାଗଣା ଓ୍ବାଇ-ଫାଇ ସେବା ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସାର୍ବଜନିକ କ୍ଷେତ୍ର ଉଦ୍ୟୋଗ (ପିଏସୟୁ) ରେଳଟେଲ ଦ୍ୱାରା ‘ରେଳୱାୟାର’ ବ୍ରାଣ୍ଡ ମାଧ୍ୟମରେ ଯୋଗାଇ ଦିଆଯାଉଛି। ରେଳଟେଲ ପୂର୍ବରୁ ଏହି ପ୍ରକଳ୍ପର ବିସ୍ତାର ପାଇଁ ଗୁଗଲ ଓ ଟାଟା ଟ୍ରଷ୍ଟ ଭଳି ସଂଗଠନଙ୍କ ସହ ସହଭାଗୀ ହୋଇଥିଲା, କିନ୍ତୁ ଏବେ ସରକାରୀ କମ୍ପାନୀ ରେଳୱାୟାରର ପରିଚାଳନା ଓ ପହଞ୍ଚକୁ ନିଜେ ସମ୍ଭାଳୁଛି।