ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର କରିବେ।

ବିଶ୍ୱର ଅନ୍ୟ ଦେଶଗୁଡ଼ିକ 6G ଆଡ଼କୁ ଦୌଡ଼ୁଥିବାବେଳେ ରାଜସ୍ଥାନର ଜଲୋର ଜିଲାର ୧୫ଟି ଗାଁର ମହିଳାମାନଙ୍କୁ କି-ପ୍ୟାଡ୍‌ ଫୋନ ଯୁଗକୁ ଫେରିଯିବାକୁ କୁହାଯାଉଛି। ଚୌଧୁରୀ ସମ୍ପ୍ରଦାୟର ସୁନ୍ଧମାତା ପଟ୍ଟି ପଞ୍ଚାୟତ ‘ମୋବାଇଲ ନିଶା’ ଏବଂ ପିଲାମାନଙ୍କ ଦୃଷ୍ଟିଶକ୍ତି ଉପରେ ସ୍କ୍ରିନର ପ୍ରଭାବ ଉପରେ ଚିନ୍ତା ପ୍ରକାଶ କରି ଝିଅ-ବୋହୂଙ୍କ ପାଇଁ ସ୍ମାର୍ଟଫୋନ୍‌ ଉପରେ ପ୍ରତିବନ୍ଧକ ଘୋଷଣା କରିଛି।

ଏହି ନିୟମ ଜାନୁଆରୀ ୨୬ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ନିଷ୍ପତ୍ତି ଅନୁଯାୟୀ, ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ ବ୍ୟବହାର କରିପାରିବେ। ବିବାହ, ସାମାଜିକ ସମାବେଶ କିମ୍ବା ପଡ଼ୋଶୀମାନଙ୍କୁ ଭେଟିବା ସମୟରେ ମଧ୍ୟ ମୋବାଇଲ ବ୍ୟବହାର କରିପାରିବେ ନାହିଁ। କେବଳ ଶିକ୍ଷା ଉଦ୍ଦେଶ୍ୟରେ ଘରେ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଝିଅମାନଙ୍କ ପାଇଁ ନିୟମ ଟିକେ କୋହଳ ରହିଛି।

Dharitri – Odisha’s No.1 Trusted Odia Daily