ଏବେ ଆମେରିକାଠାରୁ ଭାରତକୁ ମିଳିଲା ଗ୍ରିନ୍‌ ସିଗ୍‌ନାଲ, ଭୟରେ ଥରହର ପାକିସ୍ତାନ

ନୂଆଦିଲ୍ଲୀ,୬।୫: ପହଲଗାମରେ ହୋଇଥିବା କାପୁରୁଷୋଚିତ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି। ଏହି ଆକ୍ରମଣ ପରେ ବିଶ୍ୱ ଶକ୍ତିଗୁଡ଼ିକ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏପରିକି ଆତଙ୍କବାଦ ବିରୁଦ୍ଧରେ ଭାରତ ସହିତ ଏକତା ପ୍ରଦର୍ଶନ କରିଛନ୍ତି। ଏହି ଆକ୍ରମଣ ପରେ,ପାକିସ୍ତାନ ସହିତ ଭାରତର ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ବିଶ୍ୱ ଶକ୍ତିମାନଙ୍କଠାରୁ ଭାରତକୁ ମିଳୁଥିବା ସମର୍ଥନ ମଧ୍ୟ ବୃଦ୍ଧି ପାଉଛି।

ଆମେରିକା ସଂସଦର ବାଚସ୍ପତି ମାଇକ ଜନସନ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଭାରତକୁ ସମ୍ବଳ ଯୋଗାଇବାରେ ସାହାଯ୍ୟ କରିବ। ଏହି ଘୋଷଣାକୁ ଭାରତ ପାଇଁ ଏକ ସବୁଜ ସଙ୍କେତ ଭାବରେ ବିବେଚନା କରାଯାଉଛି। ଜନସନଙ୍କ ଏହି ବୟାନ ପାକିସ୍ତାନର ଚିନ୍ତାକୁ ଦ୍ୱିଗୁଣିତ କରୁଛି। ପାକିସ୍ତାନ ପୂର୍ବରୁ ଭୟଭୀତ ଯେ ଯେତେବେଳେ ଭାରତ ପହଲଗାମର ପ୍ରତିଶୋଧ ନେବ, ସେତେବେଳେ ଏହା ତାକୁ ବହୁତ କ୍ଷତି ପହଞ୍ଚାଇବ। ଏଣୁ ପାକିସ୍ତାନ ବିଶ୍ୱ ଶକ୍ତିଗୁଡ଼ିକୁ ପହଲଗାମରେ ତାଙ୍କର କୌଣସି ଭୂମିକା ନାହିଁ ଏବଂ ଶାନ୍ତିକୁ ପ୍ରାଥମିକତା ଦେଉଥିବା ଦାବି କରିଛି।

ଆମେରିକାର ହାଉସ ବାଚସ୍ପତି ମାଇକ ଜନସନ ତାଙ୍କ ବିବୃତ୍ତିରେ କହିଛନ୍ତି, “ଭାରତ ଆତଙ୍କବାଦ ବିରୋଧରେ ଠିଆ ହେବା ଉଚିତ। ଆମେ ସେହି ପ୍ରୟାସଗୁଡ଼ିକୁ ସମର୍ଥନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ। ଯଦି ବିପଦ ବୃଦ୍ଧି ପାଏ, ତେବେ ଟ୍ରମ୍ପ ପ୍ରଶାସନ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତକୁ ଶକ୍ତି ଏବଂ ସମ୍ବଳ ଯୋଗାଇବାରେ ସାହାଯ୍ୟ ଏବଂ ସହାୟତା କରିବ।”

ଏହି ବୟାନ ଭାରତ ବିରୋଧୀ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ମାଇକ ଜନସନଙ୍କ ବୟାନରୁ ଅନୁମାନ କରାଯାଉଛି ଯେ ଭାରତକୁ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଆମେରିକାଠାରୁ ସବୁଜ ସଙ୍କେତ ମିଳିଛି ଏବଂ ଏଥିରେ ସେ ଭାରତକୁ ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ।

ସୂଚନା ଯୋଗ୍ୟ, କାଶ୍ମୀର ଉପତ୍ୟକାର ପହଲଗାମ ଆକ୍ରମଣରେ କିଛି ଆତଙ୍କବାଦୀ୨୬ ଜଣଙ୍କୁ ଗୁଳି କରିଥିଲେ। ଏଥିପାଇଁ ପାକିସ୍ତାନକୁ ଦାୟୀ କରାଯାଇଛି ଏବଂ ଭାରତ ସରକାର ଦୋଷୀମାନଙ୍କୁ ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।