ଇତିହାସ ଦୋହରାଇବେ ଟ୍ରମ୍ପ? ଇରାନକୁ ସମୁଦ୍ର ପଥରେ ଘେରିବା ଲାଗି ପଠାଇଲେ ୮୦୦୦ ସୈନ୍ୟ, ଏଥର ମୁହାଁମୁହିଁ ଯୁଦ୍ଧ…

ୱାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତି ଏବେ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଗୋଟିଏ ପଟେ ପ୍ରେସ କନଫରେନ୍ସରେ ସେ ସୈନ୍ୟ ପଠାଇବାକୁ ମନା କରୁଥିବା ବେଳେ, ଅନ୍ୟପଟେ ଇରାନ ଅଭିମୁଖେ ଆମେରିକାର ସବୁଠାରୁ ବଡ଼ ସାମରିକ ଅଭିଯାନ ଆରମ୍ଭ ହୋଇଯାଇଛି। ୮,୦୦୦ରୁ ଅଧିକ ମାରିନ୍ସ ଏବଂ ଅତ୍ୟାଧୁନିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ସହ ଆମେରିକୀୟ ସେନା ଇରାନ ସୀମା ଆଡ଼କୁ ଅଗ୍ରସର ହେଉଛନ୍ତି।
ଟ୍ରମ୍ପ କହିଛନ୍ତି ଯେ ସେ ଇରାନରେ ’ଗ୍ରାଉଣ୍ଡ ଅପରେସନ’ ଅର୍ଥାତ ସ୍ଥଳଭାଗରେ ଯୁଦ୍ଧ କରିବାକୁ ସାମାନ୍ୟ ବି ପଛଘୁଞ୍ଚା ଦେବେ ନାହିଁ। ଯେତେବେଳେ ତାଙ୍କୁ ଭିଏତନାମ ଯୁଦ୍ଧ (୧୯୫୫-୧୯୭୫) ବିଷୟରେ ମନେ ପକାଇ ଦିଆଗଲା, ସେତେବେଳେ ସେ ରୋକଠୋକ କହିଥିଲେ, “ଏହା ଦ୍ୱିତୀୟ ଭିଏତନାମ ହୋଇଗଲେବି, ମୋତେ କିଛି ଫରକ ପଡ଼େନାହିଁ।” ତେବେ ଭିଏତନାମ ଯୁଦ୍ଧରେ ଆମେରିକା ନିଜର ୫୮,୦୦୦ ସୈନ୍ୟଙ୍କୁ ହରାଇଥିଲା।
ଅପରପକ୍ଷେ ସମୁଦ୍ର ପଥରେ ଆମେରିକା ବିଶାଳ ଶକ୍ତି ପ୍ରଦର୍ଶନ କରୁଛି। ଆମେରିକା ନିଜର ’ବକ୍ସର ଏମ୍ଫିବିଅସ ରେଡି ଗ୍ରୁପ’ ଏବଂ ’୧୧ତମ ମାରିନ୍ସ ଏକ୍ସପେଡିସନାରୀ ୟୁନିଟ’କୁ ପଶ୍ଚିମ ଏସିଆ ଅଭିମୁଖେ ପଠାଇଛି। ଏହି ଗ୍ରୁପ୍‌ରେ ୩ଟି ପ୍ରମୁଖ ଜାହାଜ ସାମିଲ ଅଛି। USS ବକ୍ସର (Assault Ship) ହେଉଛି ମୁଖ୍ୟ ଆକ୍ରମଣକାରୀ ଜାହାଜ। USS ପୋର୍ଟଲାଣ୍ଡ ଓ USS କମଷ୍ଟକ ଆଦି ଦୁଇଟି ଜାହାଜରେ ଭାରି ଯୁଦ୍ଧାସ୍ତ୍ର ଏବଂ ଯୁଦ୍ଧ ବିମାନ ପଠାଯାଉଛି। ଏହି ଜାହାଜଗୁଡ଼ିକରେ F-୩୫B ଷ୍ଟେଲ୍ଥ ଫାଇଟର ଜେଟ, ଅପାଚେ ହେଲିକପ୍ଟର, ଏବଂ ଶକ୍ତିଶାଳୀ ବଙ୍କର ବଷ୍ଟର ବୋମା ରହିଛି।
ଯୁଦ୍ଧରେ ସିଧାସଳଖ ସାମିଲ ନହେବାକୁ ନେଇ ଇଟାଲୀ, ଜର୍ମାନୀ ଏବଂ ଫ୍ରାନ୍ସ ଭଳି ଦେଶଗୁଡ଼ିକ ଉପରେ ଟ୍ରମ୍ପ ପ୍ରବଳ କ୍ଷୋଭ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ନାଟୋ ସହଯୋଗୀଙ୍କୁ ’କାଗଜ ସିଂହ’ ଏବଂ ’କାପୁରୁଷ’ ବୋଲି କହିଛନ୍ତି। ଟ୍ରମ୍ପଙ୍କ ଏହି ବୟାନ ପରେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily

Share