FILE PHOTO: A woman holds a small bottle labeled with a "Coronavirus COVID-19 Vaccine" sticker and a medical syringe in front of displayed Novavax logo in this illustration taken, October 30, 2020. REUTERS/Dado Ruvic/File Photo
ନୂଆଦିଲ୍ଲୀ, ୧୮।୬:ଆମେରିକୀୟ ବାୟୋଟେକ୍ନୋଲୋଜି କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କୋଭିଡ୍ ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ନିରାପଦ ବୋଲି ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି। ଭାରତରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏହି ଟିକା ଉତ୍ପାଦନ କରିବାକୁ ଥିବାବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଜୁଲାଇ ମାସରେ ସିରମ୍ ଇନ୍ଷ୍ଟିଚ୍ୟୁଟ ଏହି ଟିକାର କ୍ଲିନିକାଲ ପରୀକ୍ଷା ପିଲାମାନଙ୍କଠାରେ କରାଇବ ବୋଲି କହିଛି। ପିଲାଙ୍କଠାରେ ପରୀକ୍ଷା କରାଇବାରେ ଏହା ଚତୁର୍ଥ ଟିକା ହେବ। ହାଇଦ୍ରାବାଦର ଭାରତ ବାୟୋଟେକ୍ ୧୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କଠାରେ କୋଭାକ୍ସିନ ଟିକାର ପରୀକ୍ଷା ଆରମ୍ଭ କରିଦେଇଛି। ନୂଆଦିଲ୍ଲୀ ଓ ପାଟନା ଏମ୍ସରେ ହେଉଥିବା ଏହି ପରୀକ୍ଷାରେ ୫୨୫ ପିଲା ଅଂଶଗ୍ରହଣ କରିଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କଠାରେ ଏହି ପରୀକ୍ଷା ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ସମୟରେ ୨ରୁ ୬ ବର୍ଷ ବୟସ ବର୍ଗର ପିଲାଙ୍କୁ ସାମିଲ କରିବା ପାଇଁ ଯୋଜନା ହୋଇଛି। ସେହିପରି ଜାଇଡସ କାଡିଲା ମଧ୍ୟ ଏହାର କୋଭିଡ୍ ଭାକ୍ସିନ ଜାଇକୋଭ୍-ଡି’ର ପରୀକ୍ଷା ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ ଆରମ୍ଭ କରିଛି।