କରୋନା ଭୟରେ ଓ୍ବାଶିଂ ମେଶିନ୍‌ରେ ଧୋଇଲେ ୧୪ ଲକ୍ଷ, ଓଭାନ୍‌ରେ ଶୁଖାଇଲେ: ଆଉ ତା ପରେ..

ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏପରି ସ୍ଥିତିରେ ଭୂତାଣୁକୁ ନେଇ ମନରେ ଭୟ ଆସିବା ସ୍ବାଭାବିକ କଥା। ଲୋକମାନେ କରୋନାକୁ ଡରି ବାହାରୁ କିଣୁଥିବା ଖାଦ୍ୟସାମଗ୍ରୀ ହେଉ ଅଥବା ପନିପରିବା ଆଦି ଧୋଇବାକୁ ପଛାଉ ନାହାନ୍ତି। ହେଲେ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କରୋନା ଭୟରେ ଜଣେ ବ୍ୟକ୍ତି ଓ୍ବାଶିଂ ମେଶିନରେ ଟଙ୍କା ଧୋଇବାକୁ ପଛାଇନାହାନ୍ତି।

ଘଟଣାଟି ଦକ୍ଷିଣ କୋରିଆର ସିୟୋଲର। ଏଠାରେ ରହୁଥିବା ଇଓଏମ୍‌ କରୋନା ସଂକ୍ରମଣ ଭୟରେ ପାଖାପାଖି ୧୪ ଲକ୍ଷ ଟଙ୍କା ଓ୍ବାଶିଂ ମେଶିନ୍‌ରେ ପକାଇ ଧୋଇ ଦେଇଛନ୍ତି। ଏହାପରେ ଟଙ୍କାକୁ ଶୁଖାଇବା ପାଇଁ ଓଭାନ୍‌ରେ ରଖିଥିଲେ। ଏସବୁରେ ଅଧାରୁ ଅଧିକ ନୋଟ ଜଳିଯାଇଥିଲା। ସଂକ୍ରମଣମୁକ୍ତ କରିବାକୁ ନେଇ ବ୍ୟକ୍ତିଙ୍କ ଏଭଳି ଉପାୟ ବିଷୟରେ ଜାଣିବା ପରେ ଅନେକେ ଚକିତ ହେଉଛନ୍ତି।

ନୋଟଗୁଡ଼ିକ ନଷ୍ଟ ହେବା ପରେ ବ୍ୟକ୍ତିଜଣଙ୍କ ବ୍ୟାଙ୍କ ଅଫ୍‌ କୋରିଆରେ ପହଞ୍ଚିଥିଲେ। ନୋଟ ବଦଳାଯାଇ ପାରିବ କି ନାହିଁ ସେନେଇ ପଚାରିଥିଲେ। ତେବେ କିଛି ନୋଟକୁ ବଦଳାଯାଇପାରିଥିବା ବେଳେ କିଛି ପୁରା ନଷ୍ଟ ହୋଇଯାଇଥିଲା। ଫଳରେ ବ୍ୟାଙ୍କ ଅଧିକାରୀମାନେ ଭଲ ଥିବା ନୋଟକୁ ବଦଳାଇ ବ୍ୟକ୍ତିଙ୍କୁ ନୂଆ ନୋଟ ଦେଇଥିଲେ।