ଅନୁଶାସନହୀନତା ପାଇଁ ତାଗିଦ୍‌ ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୦: ଅନୁଶାସନହୀନତା ପାଇଁ କୌଣସି ଶିକ୍ଷାର୍ଥୀ ତାଗିଦ୍‌ କରିବା ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଛାତ୍ରୀ ଛାତ୍ରଙ୍କୁ ମାଡ ମାରିବା ଠିକ ନୁହେଁ, ଏହାର ଅର୍ଥ ନୁହେଁ ଯେ, କୌଣସି ଶିକ୍ଷକ କିମ୍ବା ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ଛାତ୍ରଙ୍କ ଅନୁଶାସନହୀନତା ପ୍ରତି ଦୃଷ୍ଟି ନ ଦେଇ ଆଖିବୁଜି ଦେବେ।
ଛାତ୍ରୀ ଛାତ୍ରମାନଙ୍କୁ ଶୃଙ୍ଖଳା ଶିକ୍ଷା ଦେବା ଶିକ୍ଷକଙ୍କ କର୍ତ୍ତବ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। କ୍ଲାସରେ ଧ୍ୟାନ ନ ଦେବା, ଠିକ ଭାବେ ପାଠ ନ ପଢ଼ିବା କିମ୍ବା ଶ୍ରେଣୀ ଏବଂ ବିଦ୍ୟାଳୟରେ ଅନୁପସ୍ଥିତ ଥିବାରୁ ଜଣେ ଛାତ୍ରଙ୍କୁ ତାଗିଦ୍‌ କରିବା ଏକ ସାଧାରଣ କଥା ।
ସ୍କୁଲ ଶିକ୍ଷକଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ଏଫ୍‌ଆଇଆର୍‌କୁ ଖାରଜ କରିବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଣେ ଶ୍ରେଣୀ ନବମ ଛାତ୍ରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୬ ଅନୁଯାୟୀ ଶିକ୍ଷକଙ୍କ ବିରୋଧରେ ଏକ ଏଫଆଇଆର୍‌ ପଞ୍ଜିକୃତ ହୋଇଥିଲା।

ବିଚାରପତି ଏସ୍‌.ନାଜିର ଏବଂ କୃଷ୍ଣ ମୁରାରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ କୁହାଯାଇଛି ଯେ ଜଣେ ଶିକ୍ଷକ କିମ୍ବା ବିଦ୍ୟାଳୟର ଅଧିକାରୀଙ୍କ ଦ୍ୱାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜଣେ ଛାତ୍ରଙ୍କୁ ତାଗିଦ କରିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ। ଖଣ୍ଡପୀଠ ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଛନ୍ତି। ହାଇକୋର୍ଟ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗରେ ପିଟି ଶିକ୍ଷକଙ୍କ ବିରୋଧରେ ଦାଖଲ ହୋଇଥିବା ଏପ୍‌ଆଇଆର ବନ୍ଦ କରିବାକୁ ମନା କରିଦେଇଛି।
ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଜୟପୁରର ତେନଓ୍ବାସ୍ଥିତ ସେଣ୍ଟ ଜାଭିୟର ସ୍କୁଲର ପିଟି ଶିକ୍ଷକ ଜିଓ ଭର୍ଗିଜ୍‌ଙ୍କ ଦ୍ୱାରା ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତରେ ଏଭଳି ରାୟ ଦେିଛନ୍ତି। ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ୨୬ ଏପ୍ରିଲ ୨୦୧୮ରେ ଆତ୍ମହତ୍ୟା କରିଥିଲେ।

Share