Categories: HomeHome Left

କେବଳ ୨୦୨୯ ନୁହେଁ…ମୋଦିଙ୍କ ଅବସର ନେଇ ବଡ଼ ଖୁଲାସା କଲେ ରାଜନାଥ ସିଂହ, ବିରୋଧୀଙ୍କ ବଢ଼ିଯିବ ଚିନ୍ତା

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏଣୁ ବିରୋଧୀ ଦଳ ବାରମ୍ବାର କହି ଆସୁଛନ୍ତି ଯେ ତାଙ୍କୁ ଏବେ ଅବସର ନେବା ଉଚିତ। ବିଭିନ୍ନ ସମୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୋଦିଙ୍କ ଅବସରକୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ୨୦୨୯ ଓ ୨୦୩୪ର ନିର୍ବାଚନ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ଲଢ଼ାଯିବ। ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦ ଖାଲି ରହିବ ନାହିଁ କାରଣ ମୋଦି ହିଁ ଏହି ପଦରେ ରହିବେ।

ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ରାଜନାଥ ସିଂହ କହିଛନ୍ତି, ଆଗାମୀ ବହୁ ବର୍ଷ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ହିଁ ପ୍ରଧାନମନ୍ତ୍ରୀ ରହିବେ। ସେ ନିର୍ବିବାଦୀ ନେତା ଏବଂ ଆଗାମୀ ଦିନରେ ମଧ୍ୟ ଏହି ସ୍ଥିତି ବଜାୟ ରହିବ। ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ସ୍ଥାନ ଖାଲି ନାହିଁ। ଏହା ହିଁ ସତ୍ୟ।

ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନିଜର ୩୫ ବର୍ଷର ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ ଓ ମୋଦିଜୀ ପ୍ରଥମେ ଝାଂସୀରେ ଭେଟିଥିଲୁ। ତାଙ୍କର ନେତୃତ୍ୱ ଓ ବ୍ୟକ୍ତିତ୍ୱରେ ସମୟ ସହିତ ଅନେକ ପରିବର୍ତ୍ତନ ଦେଖାଯାଇଛି। ବିଶେଷକରି ପ୍ରଧାନମନ୍ତ୍ରୀ ହେବା ପରେ ସେ ଅନେକ ଜଟିଳ ନିଷ୍ପତ୍ତି ନେଇଛନ୍ତି, ଯାହା ଅନ୍ୟ କେହି ନେବାକୁ ଦ୍ୱିଧା କରିଥାନ୍ତେ। ବଡ଼ ବଡ଼ ଚ୍ୟାଲେଞ୍ଜ ସାମ୍ନାରେ ମଧ୍ୟ ସେ କେବେ ବିଚଳିତ ହୁଅନ୍ତି ନାହିଁ। ଏହା ତାଙ୍କର ଅନନ୍ୟ କ୍ଷମତା।

ସେ ଆହୁରି କହିଛନ୍ତି, ବିଶ୍ୱର ଅନେକ ବଡ଼ ନେତା ବୈଶ୍ୱିକ ପ୍ରସଙ୍ଗରେ ମୋଦିଙ୍କଠାରୁ ପରାମର୍ଶ ନିଅନ୍ତି। ମୁଁ ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱ ନେତାଙ୍କଠାରୁ ଜନ୍ମଦିନରେ ଏତେ ବ୍ୟକ୍ତିଗତ ଫୋନ କଲ ପାଉଥିବା ଦେଖି ନାହିଁ।
ରାଜନାଥ କହିଛନ୍ତି ଯେ, ୨୦୧୩ରେ ଭାଜପା ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଅଭିଯାନର ସଂଯୋଜକ ଓ ପରେ ସଂସଦୀୟ ବୋର୍ଡର ସମର୍ଥନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ସେ କହିଛନ୍ତି, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ କୌଣସି ଅସମ୍ମାନ କରାଯାଇ ନାହିଁ। ତାଙ୍କୁ ଆଜି ମଧ୍ୟ ବହୁତ ସମ୍ମାନ ଦିଆଯାଉଛି ଓ ଆଗକୁ ମଧ୍ୟ ରହିବ। କିନ୍ତୁ ଦେଶର ମନୋଭାବ ମୋଦିଙ୍କ ନେତୃତ୍ୱ ଦାବି କରୁଥିଲା।୨୦୧୪ ନିର୍ବାଚନ ପ୍ରଚାର ସମୟରେ ମୁଁ ଓ ମୋଦିଜୀ ଅନେକ ସମୟ ଏକାଠି ଯାତ୍ରା କରୁଥିଲୁ। ମୁଁ ତାଙ୍କୁ କହୁଥିଲି ଯେ ତାଙ୍କୁ ପୂର୍ଣ୍ଣ ବହୁମତ ମିଳିବ, କିନ୍ତୁ ସେ ନିଜେ ଏହା ଉପରେ ପୂରା ବିଶ୍ୱାସ କରୁ ନ ଥିଲେ।

ବିପକ୍ଷ ଦଳର ଭୋଟ ଚୋରି ଅଭିଯୋଗକୁ ରାଜନାଥ ସିଂହ ଆଧାରହୀନ ବୋଲି କହିଛନ୍ତି। ସେ କହିଛନ୍ତି, ଯଦି ସେମାନଙ୍କ ପାଖରେ କୌଣସି ପ୍ରମାଣ ଅଛି, ତେବେ ସେମାନେ କୋର୍ଟକୁ ଯାଆନ୍ତୁ।

Share