ଗୋଟିଏ କି ଦୁଇଟି ନୁହେଁ ୫୪୫ ପେଟି : ୮୦ ଲକ୍ଷର ବାଣକୁ ବୋହିଲା ୧୭ ଭ୍ୟାନ୍‌

କୁଆଁରମୁଣ୍ଡା,୧।୧୦(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ମଙ୍ଗଳବାର ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବାଣ ଜବତ କରିଛି। ବେଆଇନ ବାଣ କାରବାରକୁ ରୋକିବା ପାଇଁ ଅପରେଶନ ଅଗ୍ନିକୁ ଜୋର୍‌ଦାର କରି ସୁନ୍ଦରଗଡ଼ ଜିଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଅଭିଯାନ ଚଳାଇଛି। ବୀରମିତ୍ରପୁର ପୌରପାଳିକା ଅନ୍ତର୍ଗତ ଗୋଲବଜାର ନିକଟରେ ୨ଜଣ ବ୍ୟବସାୟୀ ବେଆଇନ ଭାବେ ବିପୁଳ ପରିମାଣର ବାଣ ରଖିଥିବା ସୂଚନା ପାଇ ବୀରମିତ୍ରପୁର ଆଇଆଇସି ରାମପ୍ରସାଦ ନାଗ ସଦଳବଳ ସୋମବାର ରାତିରେ ସେଠାରେ ଚଢ଼ାଉ କରିଥିଲେ। ଜଣେ ବ୍ୟବସାୟୀଙ୍କ ଗୋଦାମ ଓ ଅନ୍ୟ ଜଣେ ବ୍ୟବସାୟୀଙ୍କ ଗୋଦାମ ସହ ଆବାସିକ ଘରେ ଲୁଚାଇ ରଖାଯାଇଥିବା ମୋଟ ୫୪୫ ପେଟି ବାଣ ଜବତ କରାଯାଇଛି। ଉକ୍ତ ବାଣ ଜବତ ପରେ ୧୭ଟି ପିକ୍‌ଅପ୍‌ ଭ୍ୟାନ୍‌ରେ ବୋଝେଇ କରି ଥାନାକୁ ଅଣାଯାଇଛି ବୋଲି ସୁନ୍ଦରଗଡ଼ ଏସ୍‌ପି ଅମ୍ରିତପାଲ କୌର ମଙ୍ଗଳବାର ଅପରାହ୍ନରେ ବୀରମିତ୍ରପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ୮୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏନେଇ ବୀରମିତ୍ରପୁର ଥାନାରେ ବ୍ୟବସାୟୀ ନଟବର ଅଗ୍ରଓ୍ବାଲଙ୍କ ନାମରେ ଏକ ମାମଲା (ନଂ. ୪୫୫/୨୦୨୫) ଏବଂ ଭିକି ଟେକ୍ରିଓ୍ବାଲଙ୍କ ନାମରେ ୨ଟି ମାମଲା (ନଂ.୪୫୬ ଓ ୪୫୭/୨୦୨୫) ରୁଜୁ ହୋଇଛି ବୋଲି ଏସ୍‌ପି କୌର କହିଛନ୍ତି। ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲାରେ ଅପରେଶନ ଅଗ୍ନିକୁ ଆହୁରି ଜୋର୍‌ଦାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।