ଭବାନୀପାଟଣା, 4।୮(ଉତ୍ତମ କୁମାର ଦାଶ):କଳାହାଣ୍ଡିରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବିଳମ୍ବ ହେଉଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଗତ ୨୦୧୪ରେ କେବିକେରେ ଦ୍ୱିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଜୁ ଜନତା ଦଳ (ବିଜେଡି)ନିଜ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା। ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାଓ୍ବାର ଓଡ଼ିଶା ସରକାରଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ଭବାନୀପାଟଣାରେ କୃଷି ବିଶ୍ବବିଦ୍ୟାଳୟର ସ୍ଥାପନ ପାଇଁ ଫିଜିବିଲିଟି ରିପୋର୍ଟ ଦାଖଲ କରିବାକୁ କହିଥିଲେ। ରାଜ୍ୟରେ କଳାହାଣ୍ଡି ଜିଲା ଚାଉଳ, କପା ଓ ଡାଲି ଉତ୍ପାଦନକାରୀ ଜିଲା ଭାବରେ ଉଭା ହୋଇଛି। ଯାହା ଆଗାମୀ ବର୍ଷରେ ଚାହିଦାକୁ ପୂରଣ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଆବଶ୍ୟକ କରେ। ସେହିପରି ପୂର୍ବରୁ ଓଡ଼ିଶାର ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥି ମଧ୍ୟ କଳାହାଣ୍ଡି ଜିଲା ଭବାନୀପାଟଣା ଠାରେ ଏକ କୃଷି ବିଶ୍ବବିଦ୍ୟାଳୟ କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହା ଶୀତଳଭଣ୍ଡାରରେ ପଡ଼ିରହିଥିବା ଆଲୋଚନା ହେଉଛି। ରାଜ୍ୟରେ କପା ଓ ଡାଲିଜାତୀୟ ଫସଲ ଉତ୍ପାଦନରେ କଳାହାଣ୍ଡି ପ୍ରଥମ ଓ ଧାନ ଉତ୍ପାଦନରେ ଦ୍ୱିତୀୟ। ଭାରତର ୨୫ତମ ବୃହତ୍ତମ ଚାଉଳ ଉତ୍ପାଦନକାରୀ ଜିଲା ମଧ୍ୟରେ କଳାହାଣ୍ଡି ନାମ ରହିଛି। ଏହି ଜିଲା କେବଳ ଚାଉଳ ମଧ୍ୟରେ ସୀମିତ ନୁହେଁ, କଳାହାଣ୍ଡିରେ କୃଷିଜାତ ଦ୍ରବ୍ୟ ଏହି ଅଞ୍ଚଳର ଅନ୍ୟାନ୍ୟ ଜିଲା ତୁଳନାରେ ବହୁ ବିବିଧତା ରହିଛି। ଜିଲାର କୃଷି ଅଭିବୃଦ୍ଧି ଏପର୍ଯ୍ୟନ୍ତ ପରିପୂର୍ଣ୍ଣ ହୋଇନାହିଁ। କଳାହାଣ୍ଡି ଜିଲାରେ କୃଷି ଅଭିବୃଦ୍ଧିରେ ଦେଶର ଏକ ପ୍ରମୁଖ ଜିଲା ଭାବେ ଉଭା ହେଉଥିବା ଯୋଗୁ ରାଜ୍ୟ ସରକାର ଗତ ୨୦୦୯ରେ ଭବାନୀପାଟଣାରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। କେବିକେ ଓ ପଶ୍ଚିମ ଓଡ଼ିଶା ଅଞ୍ଚଳର ସମସ୍ତ ଆଞ୍ଚଳିକ ଅନୁସନ୍ଧାନ ଏବଂ ଟ୍ରାନ୍ସଫର ଅଫ ଟେକ୍ନୋଲୋଜି ସହିତ ଭବାନୀପାଟଣାରେ ସମ୍ଭାବ୍ୟ କୃଷି ବିଶ୍ୱବିଦ୍ୟାଳୟ ପାଇଁ କଳାହାଣ୍ଡି ଜିଲାପାଳ ମଧ୍ୟ ସେହି ସମୟରେ ୫୦୦ ଏକର ଜମି ଚିହ୍ନଟ କରିଥିଲେ।
ଭବାନୀପାଟଣା ସରକାରୀ କୃଷି ମହାବିଦ୍ୟାଳୟରେ ୫ଟି ବିଭାଗରେ ସ୍ନାତକୋତ୍ତର ବିଭାଗ ଖୋଲିବା ନିମନ୍ତେ ଘୋଷଣା ହୋଇଥିଲେ ମଧ୍ୟ ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉନାହିଁ। ସେହିପରି ଏଗ୍ରିକଲଚର ଇଞ୍ଜିନିୟରିଂ ଓ ପଲିଟେକନିକାଲ କେନ୍ଦ୍ର ଖୋଲିବା ପାଇଁ ଓୟୁଏଟିର ଅନୁମୋଦନ ଲାଭ କରିସାରିଛି। ସେଣ୍ଟର ଅଫ ଏକ୍ସଲେନ୍ସି ନିମନ୍ତେ ରାଜ୍ୟ ସରକାର ଅନୁମୋଦନ ଦେଇ ସାରିଛନ୍ତି। ଭବାନୀପାଟଣା ଆର୍ଆର୍ଟିଏସ୍ କେନ୍ଦ୍ରରେ ରାଜ୍ୟର ଏକମାତ୍ର ଗବେଷଣା କେନ୍ଦ୍ର ଭାବରେ ଜଡ଼ା, ସୋୟାବିନ, କପା, ଧାନ ଉପରେ ଗବେଷଣା ଚାଲିଛି। କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ କଲେ କୃଷି କ୍ଷେତ୍ରରେ ଉନ୍ନତମାନର ଜ୍ଞାନକୌଶଳ ଏବଂ ଗବେଷଣା ଦକ୍ଷତାର ବିକାଶକୁ ତ୍ୱରାନ୍ବିତ କରିବ। ରାଜ୍ୟର ଦ୍ୱିତୀୟ କୃଷି ବିଶ୍ବବିଦ୍ୟାଳୟ ଏବେ ମଧ୍ୟ ରାଜ୍ୟ ସରକାରଙ୍କ ଅନୁମୋଦନକୁ ଅପେକ୍ଷା ରହିଛି। ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ଶୀଘ୍ର କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ନିମନ୍ତେ ଘୋଷଣା କରିବେ ବୋଲି ଜିଲାବାସୀ ଆଶା ବାନ୍ଧି ବସିଛନ୍ତି। କଳାହାଣ୍ଡିରେ ଏକ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ଦାବି ନେଇ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।