ଦିଗପହଣ୍ଡି,୧୪।୭(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଏମ.ରଞ୍ଜନ ଦୋରା ବିବାହ କରିବାକୁ ରାଜି ନ ହେବାରୁ ତାଙ୍କ ମା’ ଏମ.କୁମାରୀ(୪୬) ଏବଂ ବାପା ଏମ.ସୁଦର୍ଶନ ଦୋରା କୌଣସି କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୋମବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଦମ୍ପତିଙ୍କ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଦମ୍ପତିିଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ଶନିବାର ସକାଳେ ଉଭୟେ ସ୍ବାମୀ – ସ୍ତ୍ରୀ ଝିଅ ପାଖକୁ ଭୁବନେଶ୍ୱର ଯିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେଶନରେ ପହଞ୍ଚି ଥିଲେ। ପରେ ଉଭୟେ ମାନସିକ ଭାରସାମ୍ୟ ହରାଇ ପ୍ଲାଟଫର୍ମରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ପରିଚୟ ଜଣାପଡ଼ି ନ ଥିଲା। ରେଳବାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ମୃତଦେହ ଚିହ୍ନଟ ପାଇଁ ପୋଲିସ ଜିଲାର ବିଭିନ୍ନ ଥାନାକୁ ସୂଚନା ଦେଇଥିଲେ। ସେମାନଙ୍କ ଫଟୋ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କ ବନ୍ଧୁବର୍ଗ ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଏ ନେଇ ରେଳବାଇ ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।