ଟ୍ରେଡ୍‌ ନୁହେଁ, ଟ୍ରାପ୍‌ ଡିଲ୍‌: କଂଗ୍ରେସ

ନୂଆଦିଲ୍ଲୀ,୭ା୨: ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା, ପୂର୍ବତନ ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେଙ୍କ ଅପ୍ରକାଶିତ ପୁସ୍ତକର ବିବାଦୀୟ ପ୍ରସଙ୍ଗ ଏବଂ ବିରୋଧୀ ଦଳର ୮ ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ କରି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକର ଏମ୍‌ପିମାନେ ଶୁକ୍ରବାର ପାର୍ଲାମେଣ୍ଟ ହାଉସ୍‌ କମ୍ପ୍ଲେକ୍ସରେ ଜୋର୍‌ଦାର ବିକ୍ଷୋଭ କରିଛନ୍ତି।
ଲୋକ ସଭାକୁ ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯିବା ପରେ ବିରୋଧୀ ଏମ୍‌ପିମାନେ ପାର୍ଲାମେଣ୍ଟର ମକର ଦ୍ୱାର ନିକଟରେ ଏକାଠି ହୋଇ ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏକଚ୍ଛତ୍ରବାଦ ଆଉ ଚଳିବ ନାହିଁ, ଗଣତନ୍ତ୍ରର ହତ୍ୟାକୁ ବନ୍ଦକର ଆଦି ସ୍ଳୋଗାନ ଦିଆଯାଇଥିଲା। ବିକ୍ଷୋଭରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ନିଲମ୍ବିତ ଏମ୍‌ପିଙ୍କ ସମେତ ଅନେକ ବିରୋଧୀ ଦଳ ସଦସ୍ୟ ସାମିଲ ହୋଇଥିଲେ। ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌କୁ ସେମାନେ ବ୍ୟାନରରେ ‘ଟ୍ରାପ୍‌ ଡିଲ୍‌’ ଲେଖିଥିଲେ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ପୂର୍ବତନ ସେନାମୁଖ୍ୟ ନରଓ୍ବଣେଙ୍କ ଅପ୍ରକାଶିତ ପୁସ୍ତକରେ ଉଲ୍ଲେଖ ଥିବା ୨୦୨୦ର ଭାରତ-ଚାଇନା ସଂଘର୍ଷ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତରଦାୟୀ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିଫଳତା ପ୍ରସଙ୍ଗକୁ ନେଇ ଲଢ଼େଇ ଜାରି ରହିବ ବୋଲି ଲୋକ ସଭାରେ କଂଗ୍ରେସର ମୁଖ୍ୟ ହୁଇପ୍‌ ତଥା ନିଲମ୍ବିତ ଏମ୍‌ପି ମନିକମ୍‌ ଟାଗୋର କହିଥିଲେ। ଅନ୍ୟ ଦେଶର ଚାପରେ ପ୍ରଧାନମନ୍ତ୍ରୀ ମୁଣ୍ଡ ନୁଆଇଛନ୍ତି ଓ ପାର୍ଲାମେଣ୍ଟକୁ ଆସିବା ପାଇଁ ଭୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆ ନ ଯିବା ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ୮ ବିରୋଧୀ ଦଳ ଏମ୍‌ପିଙ୍କୁ ନିଲମ୍ବନ କରାଯିବା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ସୋମବାରଠାରୁ କଂଗ୍ରେସ ସମେତ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିବାରୁ ଗୃହରେ ଅଚଳାବସ୍ଥା ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଗୁରୁବାର ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା।

Dharitri – Odisha’s No.1 Odia Daily

Share
Tags: National