ନୂଆଦିଲ୍ଲୀ,୧୭।୫: ପାକିସ୍ତାନକୁ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ଆକୁଳ କରିବା ପାଇଁ ଭାରତ ପୁଣି ଥରେ ଓ୍ବାଟର ଷ୍ଟ୍ରାଇକ୍ କରିବାକୁ ପ୍ରସ୍ତୁତ ହୋଇଛି। ପ୍ରଥମେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଏବଂ ଏବେ ଝେଲମ ନଦୀ ଉପରେ ତୁଲବୁଲ ପ୍ରକଳ୍ପକୁ ପୁନଃଆରମ୍ଭ କରିବା ସମ୍ପର୍କରେ ଖବର ଆସିଛି, ଯାହାକୁ ପାକିସ୍ତାନର ବିରୋଧ ପରେ 1987 ମସିହାରେ ବନ୍ଦ କରିଦିଆଯାଇଥିଲା।
ତୁଲବୁଲ ନାଭିଗେସନ ପ୍ରକଳ୍ପକୁ ଉଲାର ବ୍ୟାରେଜ ପ୍ରକଳ୍ପ ମଧ୍ୟ କୁହାଯାଏ। ଏହା 1980 ଦଶକରେ ଆରମ୍ଭ ହୋଇଥିଲା। ଏହା ବାରାମୂଳାର ଉଲାର ହ୍ରଦର ମୁହାଣରେ ନିର୍ମିତ ହେବାକୁ ଥିବା ଏକ ନିୟନ୍ତ୍ରଣ ସଂରଚନା, ଯାହା ମାଧ୍ୟମରେ ଝେଲମ ନଦୀର ପ୍ରବାହକୁ ନିୟନ୍ତ୍ରଣ କରାଯାଇପାରିବ। ଏହା ଦ୍ୱାରା ଝେଲମ ନଦୀରେ ପାଣି ବନ୍ଦ କରି ପରିବହନକୁ ସହଜ କରାଯାଇପାରିବ। ୧୯୮୪ ମସିହାରେ, ଝେଲମ ନଦୀର ଉଲାର ହ୍ରଦର ମୁହାଣରେ କାମ ଆରମ୍ଭ ହୋଇଥିଲା। ବାମ କୂଳରେ କଂକ୍ରିଟ ପାଇଲିଂ ଏବଂ ଭିତ୍ତିଭୂମି କାର୍ଯ୍ୟ ସମାପ୍ତ ହେବା ପରେ ହିଁ ପାକିସ୍ତାନ ଆପତ୍ତି ଉଠାଇଥିଲା।
ଏହାର ଉଦ୍ଦେଶ୍ୟ ଥିଲା ସାରା ବର୍ଷ ନୌଚାଳନା ସୁବିଧା ଯୋଗାଇବା ଏବଂ ଶୀତଦିନେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା। ଏହାକୁ ଅନନ୍ତନାଗ, ଶ୍ରୀନଗର ଏବଂ ବାରାମୁଲ୍ଲା ଜିଲ୍ଲାକୁ ସଂଯୋଗ କରିବା ପାଇଁ ର୍ନିମାଣ କରାଯିବାର ଥିଲା। ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଝେଲମରେ କୌଣସି ସଂରକ୍ଷଣ ଉପରେ ପାକିସ୍ତାନ ଆପତ୍ତି କରିଥିଲା। ୨ ଅକ୍ଟୋବର ୧୯୮୭ରେ ଭାରତ ପାକିସ୍ତାନର ଆପତ୍ତିକୁ ଗ୍ରହଣ କରି କାମ ବନ୍ଦ କରିଦେଲା। ସେବେଠାରୁ ପ୍ରକଳ୍ପଟି ସ୍ଥଗିତ ରହିଛି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୩ ପର୍ଯ୍ୟାୟ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ସମାଧାନ ମିଳିନଥିଲା। ପାକିସ୍ତାନ ଦାବି କରିଥିଲା ଯେ ଏହା ଝେଲମରୁ ତାଙ୍କ ଅଞ୍ଚଳକୁ ପାଣି ପ୍ରବାହ ବନ୍ଦ କରିଦେବ। ପାକିସ୍ତାନ ଭୟ କରିଥିଲା ଯେ ନାଭିଗେସନ ଲକ ଏହାର ଟ୍ରିପଲ କେନାଲ ପ୍ରକଳ୍ପ (ଝେଲମ-ଚେନାବ ଏବଂ ଉପର ବାରୀ ଦୋଆବ କେନାଲ)କୁ କ୍ଷତି ପହଞ୍ଚାଇପାରେ। ଏହା ସହିତ, ସଂରକ୍ଷିତ ଜଳର ଅଂଶ ଉପରେ ନିୟନ୍ତ୍ରଣର ବିପଦ ଥିଲା। ବାମ କୂଳରେ କଂକ୍ରିଟ ପାଇଲିଂ ଏବଂ ଭିତ୍ତିଭୂମି କାର୍ଯ୍ୟ ଏପର୍ଯ୍ୟନ୍ତ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି।