ଥଣ୍ଡାରେ କମ୍ପୁଛି ଉତ୍ତର ଭାରତ, ପାରଦ ଛୁଇଁଲା ୧.୧ ଡିଗ୍ରୀ

ଚଣ୍ଡିଗଡ଼,୧୧।୧: ଉତ୍ତର ଭାରତର ପାହାଡିଆ ଏବଂ ସମତଳ ଅଞ୍ଚଳରେ ଶନିବାର ପ୍ରବଳ ଥଣ୍ଡା ଦିନ ଥିଲା, ଲୋକମାନେ ପ୍ରବଳ ଥଣ୍ଡାରେ ଥରୁଥିଲେ। ଗତ କିଛି ଦିନ ଧରି କଶ୍ମୀର ଉପତ୍ୟକାରେ ତାପମାତ୍ରା ଶୂନ୍ୟ ସୀମା ତଳେ ରହିଛି ଏବଂ ଦିଲ୍ଲୀ ଶୀତ ଋତୁର ସବୁଠାରୁ ଥଣ୍ଡା ସକାଳ ରେକର୍ଡ କରିଛି।
ପଞ୍ଜାବର ହୋସିଆରପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧.୧ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ଚଳିତ ଋତୁରେ ପ୍ରଥମ ଥର ପାଇଁ ସର୍ବନିମ୍ନ ତାପମାତ୍ରା ଏତେ ହ୍ରାସ ପାଇଛି।
ପଞ୍ଜାବର ଅନ୍ୟ ସହରଗୁଡ଼ିକ ମଧ୍ୟ ପ୍ରବଳ ଥଣ୍ଡାରେ ଜର୍ଜରିତ ଥିଲେ। ଅମୃତସରରେ ସର୍ବନିମ୍ନ ତାପମାତ୍ରା ୧.୩ ଡିଗ୍ରୀ ସେଲସିୟସ, ଫରିଦକୋଟ ଏବଂ ଗୁରୁଦାସପୁରରେ ୩.୨ ଡିଗ୍ରୀ ସେଲସିୟସ, ବଥିଣ୍ଡାରେ ୩.୪ ଡିଗ୍ରୀ ସେଲସିୟସ, ରାଜଧାନୀ ଚଣ୍ଡିଗଡ଼ରେ ୪ ଡିଗ୍ରୀ ସେଲସିୟସ, ପଟିଆଲାରେ ୪.୪ ଡିଗ୍ରୀ ସେଲସିୟସ, ରୂପନଗରରେ ୪.୫ ଡିଗ୍ରୀ ସେଲସିୟସ ଏବଂ ଲୁଧିଆନାରେ ୫.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଶନିବାର ସକାଳେ ଘନ କୁହୁଡ଼ି ଘୋଡ଼ାଇ ହୋଇ କିଛି ଜିଲାରେ ଭିଜିବିଲିଟି ୫୦ ମିଟରରୁ କମ ହ୍ରାସ ପାଇଛି। କିଛି ଜିଲାରେ ଥଣ୍ଡା ଦିନ ଭଳି ପରିସ୍ଥିତି ହୋଇଛି। ସର୍ବାଧିକ ତାପମାତ୍ରା ୧୦ଡିଗ୍ରୀ ସେଲସିୟସ ତଳକୁ ଖସିଗଲେ ଥଣ୍ଡା ଦିନ ହୁଏ।
ଚଣ୍ଡିଗଡ଼ର ପାଣିପାଗ ବିଭାଗ ଅନୁଯାୟୀ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶର ଉପର ଭାଗରେ ତୁଷାରପାତ ଯୋଗୁ ରାଜ୍ୟର ଅନେକ ଜିଲା ପ୍ରବଳ ଶୀତ ଲହରୀ କବଳରେ ପଡ଼ିଛନ୍ତି।
ଦିଲ୍ଲୀରେ ଶନିବାର ସକାଳ ଏହି ଋତୁର ସବୁଠାରୁ ଥଣ୍ଡା ସକାଳ ଥିଲା। ତାପମାତ୍ରା ହ୍ରାସକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଦୁଇ ଦିନିଆ ୟେଲୋ ଆଲର୍ଟ ଜାରି କରିଛି। ଶନିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ଠାରୁ ୨.୭ ଡିଗ୍ରୀ କମ। ଏହା ଚଳିତ ଶୀତ ଋତୁରେ ଏପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା।
ଗତ ଚାରି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ଚାରି ଡିଗ୍ରୀ ହ୍ରାସ ପାଇଛି। ସକାଳ ୭ଟା ୩୦ରେ IGI ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା ସ୍ତର ୫୦ ମିଟରରେ ପହଞ୍ଚିଥିଲା। ସକାଳ ୮ଟା ୩୦ ସୁଦ୍ଧା କୁହୁଡ଼ି ସାମାନ୍ୟ ହ୍ରାସ ପାଇଥିଲା ଏବଂ ଦୃଶ୍ୟମାନତା ସ୍ତର ୧୦୦ ମିଟରକୁ ଉନ୍ନତ ହୋଇଥିଲା।

 

Dharitri – The Largest & Most Trusted Odia Daily

Share